ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ଚଢାଇଦେବା ପ୍ରସଙ୍ଗ: ରାଜ୍ୟସଭା ସାଂସଦ ସମ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ: ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟାଇଲେ ଅଭାବନୀୟ କାଣ୍ଡ। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଆଜି ବାଣପୁର ବ୍ଲକ କାର୍ଯ୍ୟାଳୟରେ ଶତାଧିକ ଲୋକ ରୁଣ୍ଡ ହୋଇଥିବା ବେଳେ ହଠାତ୍‌ ଭିଡ଼ ଭିତରକୁ ଗାଡ଼ି ପଶାଇଦେଲେ ବିଧାୟକ । ବିଧାୟକଙ୍କ ଗାଡ଼ି ଚାପାରେ ୨୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଣପୁର ଆଇଆଇସିଙ୍କ ସମେତ ୭ରୁ ଊର୍ଦ୍ଧ୍ୱ ପୁଲିସ୍‌ କର୍ମଚାରୀ ଥିବା ଜଣାଯାଇଛି। ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ନିର୍ଧୂମ ପିଟି ଲହୁଲୁହାଣ କରିଥିବା ବେଳେ ତାଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ସେପଟେ ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସମ୍ମିତ ପାତ୍ର କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ପ୍ରଶାନ୍ତ ଜଗଦ୍ଦେବ ଯାହା କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଲୋମହର୍ଷଣକାରୀ ଘଟଣା । ଘଟଣାର ତଦନ୍ତ କରୁଛି ପୋଲିସ । ଠିକ୍‌ ସମୟରେ ଠିକ୍‌ କାର୍ଯ୍ୟାନୁଷ୍ଠାନ ହେବ । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏଭଳି ଆଚରଣ ପାଇଁ ପୂର୍ବରୁ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

ଅନ୍ୟପଟେ ବିଜେପି ପୃଥ୍ୱୀରାଜଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏପରି ଦୁର୍ଭାଗ୍ୟଜନକ ଘଟଣା ଓଡିଶା ଇତିହାସରେ ପ୍ରଥମ । ଚିଲିକା ପାଇଁ ଏହା କଳା ଇତିହାସ ହୋଇ ରହିବ । ବିଧାୟକଙ୍କ ବିରୁଦ୍ଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏଭଳି ଲୋକଙ୍କ ସ୍ଥାନ ଜେଲରେ ରହିଛି ।

Related Posts