ନିମାପଡାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା; ବିବାଦ ଭିତରେ ଶକ୍ତି ପ୍ରଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ନିମାପଡାରେ ଜନ ସମ୍ପର୍କ ପଦଯାତ୍ରା ବାହାନାରେ ଶକ୍ତି ପ୍ରଦର୍ଶନ କରିଛି ଶାସକ ବିଜୁ ଜନତା ଦଳ । ଏଥିପାଇଁ ଆଜି ନିମାପଡାର ବାରବାଟି ପଡିଆରେ ମହା ସମାବେଶ କରଯାଇଛି । ନିମାପଡା ଓ ଗୋପ ଅଞ୍ଚଳର ହଜାର ହଜାର ବିଜେଡି କର୍ମୀ ଏଥିରେ ସାମିଲ ହୋଇଛନ୍ତି ।

ତେବେ ବିବାଦରେ ଫସିଥିବା ନିମାପଡାର ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନେତୃତ୍ବରେ ଏହି ବିଶାଳ ଜନ ସଂପର୍କ ପଦଯାତ୍ରାର ସମାବେଶ ଆୟୋଜନ କରାଯାଇଛି । ରାଜ୍ୟର ବିଜେଡ଼ି ସରକାରଙ୍କ ଜନ କଲ୍ୟାଣ ମୂଳକ ଯୋଜନା ଲୋକଙ୍କୁ ଅବଗତ କରାଇବା ନେଇ ଏହି ମହା ସମାବେଶ ଆୟୋଜନ ହୋଇଛି । ଏହି ସମାବେଶରେ ବିଜେଡ଼ିର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।

ତେବେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସହୁଙ୍କ ମୃତ୍ୟୁ ପଛରେ ମନ୍ତ୍ରୀ ସମୀର ଦାଶଙ୍କ ହାତ ଥିବା ଅଭିଯୋଗ ହୋଇଛି। ଏନେଇ ବିଜେପି ପକ୍ଷରୁ ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଓ ଗିରଫ ଦାବି କରିବା ସହ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆଜିର ଏହି ପଦଯାତ୍ରା ମାଧ୍ୟମରେ ମନ୍ତ୍ରୀ ସମୀର ଦାଶ ବିଜେପିକୁ କାଉଣ୍ଟର କରିବା ସହ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଲୋକପ୍ରିୟତା ଦର୍ଶାଇବା ପାଇଁ ଏହି ସମାବେଶ କରାଯାଇଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡିର ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାରି ମାଧ୍ୟମରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ।

Related Posts