ରଥଖଳାରେ ଠାକୁରଙ୍କ ଚକା ସିଂହାସନ ନିର୍ମାଣ କଲେ ବିଶ୍ୱକର୍ମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରଥଖଳାରେ ଠାକୁରଙ୍କ ଚକା ସିଂହାସନ ନିର୍ମାଣ କଲେ ବିଶ୍ୱକର୍ମା । ସେପଟେ ତାଳଧ୍ୱଜ ରଥର ବ୍ରେକ୍ ଚକରେ ଲାଗିଲା କ୍ଲାମ୍ପ । ଯନ୍ତ୍ରୀଙ୍କ ପରାମର୍ଶରେ ଦୁଇଟି କ୍ଲାମ୍ପ ଲାଗିଛି । ପହିଫାଟରେ ଆକାର ଅନୁସାରେ ବକ୍ର କ୍ଲାମ୍ପ ଲଗାଯାଇଛି । ତାଳଧ୍ୱଜର ସାନ ଉଛୁଳା ଚକରେ ଫାଟ ସୃଷ୍ଟି ହୋଇଥିବା ଦେଖି ଏହି ପ୍ରତିକାର କରାଯାଇଥିବା ନିର୍ମାଣକାରୀ କହିଛନ୍ତି । ରଥ ଚାଳନା ସମୟରେ ବ୍ରେକ୍ ଚକ ଉପରେ ଅଧିକ ଚାପ ପଡ଼ିଥାଏ । ଏଣୁ କ୍ଲାମ୍ପ ଲାଗି ରଥ ମଜଭୁତ୍ ହୋଇଥିବା ସୂଚନା ରହିଛି । ଗୁରୁବାର ରଥଖଳାରେ ଠାକୁରଙ୍କ ଚକା ସିଂହାସନ ତିଆରିଛନ୍ତି ବିଶ୍ୱକର୍ମା । ଚକାବେଦିରେ ଠାକୁରେ ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ବିଶ୍ୱକର୍ମାମାନେ ପ୍ରଭାକାମ ସାରି ରୂପକାରଙ୍କୁ ଦେଇଛନ୍ତି । ରୂପକାରମାନେ ସେଥିରେ କୀର୍ତ୍ତିମୁଖ ଓ ଉଭୟପାଶ୍ୱର୍ରେ ମଗରମୁଣ୍ଡ କରୁଛନ୍ତି । ଚିତ୍ରକର ରଙ୍ଗ ଦେଲେ ରଥରେ ଫିଟିଂ ହେବ ପ୍ରଭା । ଏବେ ରଥ ଉପରେ ଠାକୁରଙ୍କ ସିଂହାସନ କାମ ଜାରି ରହିଛି । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠ ଶେଣୀ ରଖିଥିଲେ ।

ବିଶ୍ୱକର୍ମାମାନେ ପଟା ବାଡ଼େଇ ସିଂହାସନ ବୁଜିବେ । ଆଗକୁ ଗାଈପଲ ଚିତ୍ର ହେବ । ସିଂହାସନ ଉପରେ କନକମୁଣ୍ଡି କାମ ଚାଲିଛି । କନକମୁଣ୍ଡିରେ ପିତଳ ଚାଦର ବୁଲିବ । ଯେପରି ରଥରେ ଅବସ୍ଥାନ ସମୟରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଓଦା ହେବ ନାହିଁ । ରଥମାନଙ୍କରେ କଣଫାଉଡା ଲଗାଯାଇଛି । ପ୍ରତି ଭୂଇଁର ତିନି କୋଣରେ ୧୨ଟି କଣଫାଉଡ଼ା ଲାଗିଛି । ସେଥିରେ ମଣ୍ଡଣି ବାଉଁଶ ଲଗାଯିବ । ରଥରେ କନାମଣ୍ଡଣିରେ ଏହା ସହାୟକ ହେବ । ଏହାଯୋଗୁ ରଥ ହୃଷ୍ଟପୁଷ୍ଠ ଓ ସୁନ୍ଦର ଦେଖାଯିବ । ଶୁକ୍ରବାର ଭୋଇସେବକମାନେ ରଥରେ ଦୁଆରଘଡ଼ା ଉଠାଇବେ । ରଥଚାଳି ଭାଙ୍ଗିଲା ପରେ ଏହି କାର‌୍ୟ୍ୟ ହେବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି । ରଥର ବ୍ରେକ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରୂପକାରମାନେ ନାଟ ଗୋଡ଼ରେ ଖୋଦେଇ ସାରିଛନ୍ତି । ଚିତ୍ରକର ରଥର ବିଭିନ୍ନ ଅଂଶକୁ ଚିତ୍ର କରିବାରେ ନିମଗ୍ନ । ଦର୍ଜୀସେବକ ଅନ୍ୟାନ୍ୟ କାର‌୍ୟ୍ୟ ସହ ଚନ୍ଦ୍ରଶାଳୀ କାର‌୍ୟ୍ୟ ସାରୁଛନ୍ତି ।

Related Posts