(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଓଏସଏସସି ଘୋଟାଲାରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ପୂର୍ବତନ କର୍ମଚାରୀ ବିରଞ୍ଚି ନାରାୟଣ ସାହୁଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ରିମାଣ୍ଡରେ ନେଇ ବିରଞ୍ଚିଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଭିଜିଲାନ୍ସ । ବିରଞ୍ଚି ତାଙ୍କ ପତ୍ନୀଙ୍କୁ ଆଢ଼ୁଆଳରେ ରଖି ଚଳାଇଥିଲେ ବୀମା ବ୍ୟବସାୟ। ଅଭିଯୋଗ ଅନୁସାରେ ଚାକିରି ଆଶାୟୀ ପ୍ରାର୍ଥୀଙ୍କୁ ବିରଞ୍ଚି ନିଜ ସ୍ତ୍ରୀଙ୍କ ପାଖରେ Exide Life Insurance କରିବାକୁ ବାଧ୍ୟ କରୁଥିଲେ ।
ଆଉ ୧୦ ବର୍ଷ ଭିତରେ ପତ୍ନୀଙ୍କ ଜରିଆରେ ୯୦୦ ବୀମା ପଲିସି କରିଥିବା ଜଣାପଡିଛି । ତାଙ୍କ ପତ୍ନୀ କେତେ କମିଶନ ପାଇଛନ୍ତି, ତାହାର ଏବେ ତଦନ୍ତ ହେବ। ୨୦୦୯ ମସିହାରୁ ବିରଞ୍ଚିଙ୍କ ପତ୍ନୀଙ୍କ ପାଖରେ ବୀମା ପଲିସି କରିବା ପାଇଁ ସେ ବାଧ୍ୟ କରିଥିବା ଜଣାପଡିଛି। ୯୦୦ ବୀମା ପଲିସି କରିଥିବା ପଲିସିଧାରୀଙ୍କ ମଧ୍ୟରୁ ଅନେକ ପଲିସିଧାରୀ OSSC ର ବିଭିନ୍ନ ପରୀକ୍ଷାରେ ଆବେଦନକାରୀ ଥିବା ବୋଲି ସନ୍ଦେହ କରାଯାଉଛି ବୋଲି ଜଣେ ବରିଷ୍ଠ ଭିଜିଲାନ୍ସ ଅଧିକାରୀ କହିଛନ୍ତି। ୯୦୦ ପଲିସି ଗ୍ରାହକଙ୍କ ମଧ୍ୟରୁ ଭିଜିଲାନ୍ସ ୨୧ ଜଣଙ୍କୁ ଚିହ୍ନଟ କରିଛି, ଯେଉଁମାନେ ଅତୀତରେ OSSC ପରୀକ୍ଷା ଦେଇଥିଲେ ।
ତେବେ ଚିହ୍ନଟ ହୋଇଥିବା ୨୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେଉଁ ମାନେ ସରକାରୀ ଚାକିରି ପାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଜୁଲାଇ ୩୦ ରେ ରାଜଧାନୀ ଭୁବନେଶ୍ୱରର ନିଳାଦ୍ରିବିହାର ଠାରେ ଥିବା ତାଙ୍କ ଘରୁ ବିଭିନ୍ନ OSSC ପରୀକ୍ଷାର୍ଥୀଙ୍କ ୧୧୪ ଟି ଆଡମିଟ୍ କାର୍ଡ ଜବତ କରାଯାଇଥିଲା। ସେଥିରୁ ୧୦୭ଟି ଆଡମିଟ୍ କାର୍ଡ ପାଇଥିବା ବ୍ୟକ୍ତି ଚାକିରି କରିନାହାନ୍ତି। ଅନ୍ୟ ୭ଟି ଆଡମିଟ କାର୍ଡକୁ ନେଇ ଯାଞ୍ଚ ଚାଲିଛି ବୋଲି ଭିଜିଲାନ୍ସ ଏସ୍ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନା ଥାଉକି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସ୍ଏସସି ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଭୁବନେଶ୍ୱର ସ୍ଥିତ ନୀଳାଦ୍ରୀବିହାର ବାସଭବନ, କଟକ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା। ଚଢ଼ଉ ସମୟରେ ଜଣେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଘରୁ ସଂପତ୍ତି ଠାବ ହୋଇଥିଲା। ୩ କୋଟି ୭୯ ଲକ୍ଷର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ କେଜି ସୁନା ଗହଣା ଜବତ କରାଯାଇଛି।
ଜବତ ସୁନା ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଏଥିସହ ପିଏସ୍ଙ୍କ ୨ଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ, ଦୁଇ ଥର ବିଦେଶ ଗସ୍ତର ଡକ୍ୟୁମେଣ୍ଟ ଠାବ ହୋଇଥିଲା। ବିରଞ୍ଚିଙ୍କ ସମ୍ପତ୍ତିର ଖୋଳତାଡ଼ କରିବା ପାଇଁ ଗତ ୩ ତାରିଖରେ ଭିଜିଲାନ୍ସ ରିମାଣ୍ଡରେ ନେଇଥିଲା। ଚାରି ଦିନିଆ ଭିଜିଲାନ୍ସ ରିମାଣ୍ଡ ଶୁକ୍ରବାର ଦିନ ଶେଷ ହୋଇଛି, ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।ଏପଟେ ଓଏସଏସସି ପରୀକ୍ଷାରେ ବ୍ୟାପକ ଘୋଟାଲା ଅଭିଯୋଗ କରି କଂଗ୍ରେସ ଓ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରି ଉଚ୍ଚ ସ୍ତରୀୟ ଯାଞ୍ଚ୍ ଦାବି କରିଛନ୍ତି।