ଧନ ଶୋଧନ ନିରୋଧକ ଅଧିନିୟମ(ପିଏମ୍ଏଲ୍ଏ) ଆଧାରରେ ନିର୍ମିତ ସ୍ପେଶାଲ୍ କୋର୍ଟ ଶନିବାର ମୁମ୍ବାଇରେ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏଥିପାଇଁ ସ୍ପେଶାଲ୍ କୋର୍ଟରେ ଆବେଦନ କରିଥିଲେ ।
ପଳାତକ ଆର୍ଥିକ ଅପରାଧୀ ଅଧିନିୟମ(ଏଫ୍ଇଓଏ) ଆଧାରରେ ବିଜୟ ମାଲ୍ୟାଙ୍କ ନାମ ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଭାବେ ଘୋଷିତ ହୋଇଛି । ଏହି ଆଇନରେ ତଦନ୍ତକାରୀ ଏଜେନ୍ସିଙ୍କୁ ଏଫ୍ଇଓଏ ଆଧାରରେ ଅପରାଧୀଙ୍କର ସବୁ ସମ୍ପତ୍ତି ଜବତ କରିବାର ଅଧିକାର ଅଛି । ଏବେ କର୍ଣ୍ଣାଟକ, ଇଂଲଣ୍ଡ ଓ ଅନ୍ୟ ସ୍ଥାନରେ ଥିବା ବିଜୟ ମାଲ୍ୟାଙ୍କର ସବୁ ସମ୍ପତ୍ତି ଜବତ କରାଯାଇପାରିବ..
ଆର୍ଥିକ ପଳାତକ ଅପରାଧୀ ଘୋଷଣା ହେବାପରେ ବିଜୟ ମାଲ୍ୟାଙ୍କୁ ବ୍ରିଟେନରୁ ପ୍ରତ୍ୟାର୍ପଣ ପାଇଁ ସାହାଯ୍ୟ ମିଳିବ । ସ୍ୱତନ୍ତ୍ର କୋର୍ଟ ପୂର୍ବରୁ ବିଜୟ ମାଲ୍ୟାଙ୍କ ସମସ୍ତ ମାମଲାକୁ ଖାରଜ କରିଦେଇଛନ୍ତି । ପିଏମ୍ଏଲ୍ଏ କୋର୍ଟ ପଳାତକ ଆର୍ଥିକ ଅପରାଧୀ ଅଧିନିୟମର ଧାରା ୨ଏଫ୍ ଅନୁସାରେ ମାଲ୍ୟାଙ୍କ ବିରୋଧରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି ।
ଏହି ନିୟମ ଅନୁସାରେ ଅପରାଧ କରିବା ପରେ ଦେଶ ଛାଡ଼ିଯବା ଓ ଯାଞ୍ଚ ପାଇଁ କୋର୍ଟରେ ହାଜର ନହେବା ପାଇଁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇସାରିଛି । ସୂଚନାଯୋଗ୍ୟ ୨୦୧୬ ମସିହାରୁ ମାଲ୍ୟା ଭାରତରୁ ଫେରାର୍ ହୋଇ ଲଣ୍ଡନରେ ଅଛନ୍ତି । ମାଲ୍ୟାଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କା ଋଣ ବକେୟା ରହିଛି ।