ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସରକାରୀ ଦଳ ‘ଆମ ଆଦମି ପାର୍ଟି’କୁ ଲାଗିଛି ବଡ ଝଟକା । ଦଳ ଛାଡିଲେ ଆପର ବରିଷ୍ଠ ନେତା ତଥା ଦିଲ୍ଲୀ ସଡକ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ । ଆପ୍ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିଥିବା ଏବଂ ବିଭିନ୍ନ ବିବାଦକୁ କାରଣ ଦର୍ଶାଇ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଚିଠି ଲେଖି ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଗେହଲଟ୍ ।
ତେବେ ଗେହଲଟ୍ ନିଜ ଚିଠିରେ ଲେଖିଛନ୍ତି, ଆପ ଆଜି ନିଜ ପାଇଁ ନିଜେ ବଡ ଚ୍ୟାଲେଞ୍ଜ ସାଜିଛି । ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିପାରିନାହିଁ । ତାହା ମଧ୍ୟରୁ ଯମୁନା ନଦୀ ପ୍ରଦୂଷଣ ଜ୍ବଳନ୍ତ ଉଦାହରଣ । ପୂର୍ବ ଅପେକ୍ଷା ବର୍ତ୍ତମାନ ଏହାର ସ୍ଥିତି ଆହୁରି ସଙ୍ଗୀନ ହୋଇଛି । ଏଥିସହିତ ବର୍ତ୍ତମାନର ବିଭିନ୍ନ ବିବାଦ, ଯେମିତି ନୂଆ ବଙ୍ଗଳା ସିସମହଲ ପ୍ରସଙ୍ଗ ବର୍ତ୍ତମାନ ପାର୍ଟିକୁ ଲଜ୍ଜିତ କରିଛି । ଯାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି, ଯେ ସତରେ କ’ଣ ଏବେ ଆମେ ଆମ ଆଦମି(ସାଧରଣ ଜନତା) ହେବାର ଯଥାର୍ଥ ରଖୁଛେ ?
ଖାଲି ସେତିକି ନୁହେଁ, ସେ ଆହୁରି କହିଛନ୍ତି, ମୁଁ ଲୋକଙ୍କ ସେବା ପାଇଁ ଦଳରେ ଯୋଗ ଦେଇଥିଲି । ହେଲେ ଏବେ ଦଳ ଲୋକଙ୍କ ହିତ ପାଇଁ କମ୍ କେନ୍ଦ୍ର ସହ ନିଜର ବିତର୍କରେ ଅଧିକାଂଶ ସମୟ ବିତାଇବାରେ ବ୍ୟସ୍ତ । ଯାହା ଦିଲ୍ଲୀରେ ବାସ୍ତବିକ ପ୍ରଗତି ପାଇଁ ଶୁଭଙ୍କର ନୁହେଁ । ଏଭଳି ସ୍ଥଳରେ ମୋର ଆପ ଠାରୁ ଅଲଗା ହେବା ଛଡା ଆଉ କିଛି ରାସ୍ତା ନାହିଁ । ତେଣୁ ମୁଁ ଆପ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି ।