ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ବର୍ଷିଲେ ବାଇଡେନ: ଜି-୨୦ ଗ୍ରୁପରୁ ରୁଷକୁ ବିଦା କରିବାକୁ କଲେ ଦାବି

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ ଯାହାକୁ ନେଇ ପ୍ରଥମ ରୁ ବିରୋଧ କରିଆସୁଛି ଆମେରିକା। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ କୁ ଯୁଦ୍ଧ ବନ୍ଦ୍ କରିବା ପାଇଁ ଅନେକ ଥର ଚେତାବନୀ ଦେଉଛନ୍ତି । ତେବେ ଏହାରି ମଧ୍ୟରେ ବେଲ୍‌ଜିୟମ ରାଜଧାନୀ ବ୍ରୁସେଲ୍ସରେ ନର୍ଥ ଆଟ୍‌ଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ୍‌(ନାଟୋ)ର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । କରି ବାଇଡେନ ରୁଷ ଉପରେ ଜୋରଦାର ବର୍ଷିଛନ୍ତି । ରୁଷ ୟୁକ୍ରେନ ଉପରେ ଏହାର ଆକ୍ରମଣ ଜାରି ରଖିଥିବାରୁ ଏବେ ରୁଷକୁ ଉଚ୍ଚିତ ଶିକ୍ଷା ଦେବାର ସମୟ ଆସିଛି । ଏଣୁ ବିଶ୍ୱର ବିକଶିତ ଦେଶମାନଙ୍କୁ ନେଇ ଗଠିତ ଜି-୨୦ ଗ୍ରୁପରୁ ରୁଷକୁ ବାହର କରିଦେବା ଆବଶ୍ୟକ ବୋଲି ବାଇଡେନ କହିଛନ୍ତି ।

ଜି-୨୦ ଗ୍ରୁପରୁ ରୁଷ ବାହାରିଗଲେ ବିଶ୍ୱର ଏକ ବୃହତ ଅର୍ଥବ୍ୟବସ୍ଥାରୁ ରୁଷ ହଟିଯିବ ଏବଂ ଅର୍ଥନୈତିକ ଭାବେ ତା’ଉପରେ ଅନେକ ଚାପ ସୃଷ୍ଟି ହେବ ବୋଲି ବାଇଡେନ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ବାଣିଜ୍ୟରେ ଜି୨୦ ରାଷ୍ଟ୍ରର ଭାଗିଦାରିତା ପାଖାପାଖି ୭୫% ରହିଛି । ଏଣୁ ଜି୨୦ ଗ୍ରୁପରୁ ବାହାରିଗଲେ ରୁଷକୁ ଶକ୍ତ ଝଟ୍‌କା ଲାଗିବ । ଏହା ପୂର୍ବରୁ ୨୦୧୪ରେ ରୁଷ କ୍ରିମିୟା ଉପରେ କବ୍‌ଜା କରିନେବା ପରେ ରୁଷକୁ ଜି-୮ ଗ୍ରୁପରୁ ହଟାଇ ଦିଆଯାଇଥିଲା ।

ନାଟୋ ସମ୍ମିଳନୀରେ ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ, ଜି-୨୦ର ସଦସ୍ୟ ରାଷ୍ଟ୍ର ଯଦି ରୁଷକୁ ହଟାଇବାକୁ ସହମତ ନ ହୁଅନ୍ତି, ତେବେ ଅତିକମ୍‌ରେ ୟୁକ୍ରେନକୁ ନାଟୋ ସମ୍ମିଳନୀରେ ସାମିଲ ହେବାକୁ ଅନୁମତି ଦିଆଯାଉ । ୟୁକ୍ରେନ ପ୍ରସଙ୍ଗରେ ନାଟୋ ଯେଉଁଭଳି ଏକଜୁଟ ହୋଇଛି ପୂର୍ବରୁ କେବେ ବି ହୋଇନଥିଲା । ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପୁଟିନ ଯାହା ସବୁ ଭାବିଥିଲେ ତା’ର ବିପରୀତ ହେଉଛି । ନାଟୋ ଏକଜୁଟ ହେବା କାରଣରୁ ଏହା ସମ୍ଭବପର ହୋଇପାରିଛି । ୟୁକ୍ରେନର ୧ ଲକ୍ଷ ଶରଣାର୍ଥୀଙ୍କୁ ନିଜ ଦେଶକୁ ସ୍ୱାଗତ କରିବାକୁ ଆମେରିକା ପ୍ରସ୍ତୁତ ବୋଲି ମଧ୍ୟ ବାଇଡେନ କହିଥିଲେ ।

ରୁଷ ୟୁକ୍ରେନ ବିରୋଧରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ବାରମ୍ବାର ଧମକ ଦେଉଛି । ରୁଷ ଯଦି ଏପରି କରେ ତେବେ ନାଟୋ ଏହାର ଜବାବ ନିଶ୍ଚିତ ରୂପେ ଦେବ ବୋଲି ମଧ୍ୟ ବାଇଡେନ ଖୋଲାଖୋଲି ଭାବେ ଧମକ ଦେଇଥିଲେ ।

ସୂଚନାଥାଉକି, ଜାତିସଂଘରେ ରୁଷର ରାଷ୍ଟ୍ରଦୂତ ଡିମିଟ୍ରି ପୋଲ୍ୟାନସ୍କି କହିଥିଲେ, ନାଟୋ ଯଦି ରୁଷକୁ ଉସକାଇବା ବନ୍ଦ ନ କରେ ତେବେ ପରମାଣୁ ଏବଂ ରାସାୟନିକ ଅସ୍ତ୍ର ବ୍ୟବହାର କରିବାକୁ ରୁଷ ବାଧ୍ୟ ହେବ । ପରମାଣୁ ଅସ୍ତ୍ର ବ୍ୟବହାର କରିବାର ସମସ୍ତ ଅଧିକାର ରୁଷ ନିକଟରେ ରହିଛି । ଏକଥା ସମସ୍ତେ ମନେ ରଖିବା ଆବଶ୍ୟକ ବୋଲି ଡିମିଟ୍ରି କହିଥିଲେ ।

Related Posts