କରୋନା ଲଢେଇରେ ହାରିଗଲେ ଭଦ୍ରକର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର : କୋଲକାତାରେ ଚାଲିଥିଲା ଇକମୋ ଚିକିତ୍ସା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ଲଢେଇରେ ହାରିଗଲେ ଅଭିଷେକ ମହାପାତ୍ର। କୋଲକାତାରେ ଇକ୍‌ମୋ  ଚିକିତ୍ସାଧୀନ ଥିବା  ଅଭିଷେକ ମହାପାତ୍ରଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛନ୍ତି ଅଭିଷେକଙ୍କ ମାମୁ ପୁଅ ଭାଇ ରୋଶନ ମହାନ୍ତି। କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା । 

ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୨୨ଦିନ ଧରି ଭେଣ୍ଟିଲେଟରେ ରହିବା ପରେ ଅଭିଷେକଙ୍କୁ ଇକମୋ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ସ୍ଥାନାନ୍ତର କରାଯାଇଥିଲା । ଗତ ଜୁଲାଇ ମାସ ୯ ତାରିଖରୁ କୋଲକାତାରେ ଅଭିଷେକଙ୍କର ଇକମୋ ଚିକିତ୍ସା ଚାଲିଥିଲା । ଶୁକ୍ରବାର ରାତି ୧୦ଟା ୪୫ ବେଳକୁ ଅଭିଷେକଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକ ସୂଚନା ଦେଇଛନ୍ତି । 

ସୂଚନା ମୁତାବକ , କରୋନାରେ ଆକ୍ରାନ୍ତ ହେବା ପରେ ଭଦ୍ରକର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର ଗୁରୁତର ହୋଇ ପଡ଼ିଥିଲେ । ତାଙ୍କର ଫୁସଫୁସ ପ୍ରଭାବିତ ହୋଇଥିବାରୁ ଇକମୋ ଚିକିତ୍ସା ପାଇଁ ଅଭିଷେକଙ୍କୁ କୋଲକାତା ସ୍ଥାନାନ୍ତର କରାଯାଇଥିଲା । ସାଧାରଣ ଲୋକଙ୍କ ସାହାଯ୍ୟ ପରେ ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ସାହସ କରିଥିଲେ । ତାପରେ ଅଭିଷେକଙ୍କ ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । 

ଅର୍ଥ ଅଭାବରୁ କୋଲକାତାକୁ ସ୍ଥାନାନ୍ତର ହେଇପାରୁନଥିବାରୁ ମିଲାପ ମାଧ୍ୟମରେ ଆରମ୍ଭ ହୋଇଥିଲା କ୍ରାଉଡ୍ ଫଣ୍ଡିଂ। ସେଲିବ୍ରିଟିଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଅଭିଷେକଙ୍କ ଜୀବନ ବଞ୍ଚାଇବାକୁ ଯାହା ଭାଗ୍ୟରେ ଯାହା ଥିଲା ସେ ସାହାଯ୍ୟ କଲା । ତେବେ ଡାକ୍ତରଙ୍କ ଉଦ୍ୟମ ଓ ସମସ୍ତଙ୍କ ସତ ଚେଷ୍ଟା ସତ୍ତ୍ୱେ ଗତ କାଲି ବିଳମ୍ବିତ ରାତ୍ରିରେ ଆଖି ବୁଜିଛନ୍ତି ଅଭିଷେକ ।

Related Posts