ମାର୍ଚ୍ଚ ସୁଦ୍ଧା ଶେଷ ହେବ ବରମୁଣ୍ଡା ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ କାର୍ଯ୍ୟ, ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ବରମୁଣ୍ଡାରେ ନିର୍ମାଣାଧୀନ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌(ଆଇଏସ୍‌ବିଟି) କାର୍ଯ୍ୟ। ଏନେଇ ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭିକେ ପାଣ୍ଡିଆନ ବରମୁଣ୍ଡା ନିର୍ମାଣାଧୀନ ଆଇଏସ୍‌ବିଟି କ୍ଷେତ୍ର ପରିଦର୍ଶନ କରି ବିଡିଏକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଅପରାହ୍ନରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସହ ସେ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏବେ ପର୍ଯ୍ୟନ୍ତ ଡିପୋ କାମ ଶେଷ ହୋଇଥିବା ବେଳେ କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ ରହିଥିବା ସମୀକ୍ଷା ବେଳେ ଜଣାପଡ଼ିଛି। ଷ୍ଟାଣ୍ଡ ନିର୍ମାଣ ହୋଇନଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଯାତ୍ରୀଙ୍କ ସୁବିଧା ପାଇଁ ଧାର୍ଯ୍ୟ ଅବଧିରେ ଯେଭଳି କାମ ଶେଷ ହେବ, ସେନେଇ ଅଧିକାରୀମାନେ ତତ୍ପର ରହିବାକୁ ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୧୮୦ କୋଟି ଟଙ୍କା ବ୍ୟୟରେ ବରମୁଣ୍ଡା ଠାରେ ୧୧.୪୮ ଏକର ଜାଗାରେ ଏହି ଆଇଏସ୍‌ବିଟି ନିର୍ମାଣ ହେଉଛି। ବିଡିଏ ଏହି ପ୍ରକଳ୍ପର ନିର୍ମାଣ କରୁଥିବା ବେଳେ ଏଥିରେ ୬ଟି ବ୍ଲକ୍‌ ରହିଛି। ପ୍ରଥମ ୪ଟି ବ୍ଲକ୍‌ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ୨ଟି ବ୍ଲକ୍‌ ନିର୍ମାଣାଧୀନ ରହିଛି। ଏଥିରେ ୩୫ଟି ବସ୍‌ ବେ’ ବ୍ୟବସ୍ଥା ଥିବା ବେଳେ ୧୯୦ ପାର୍କିଂ ସ୍ପେସ୍‌ ରହିଛି। ଏହାଛଡ଼ା ୨୫୦ ଚାରି ଚକିଆ ଓ ୧୭୫ ଦୁଇଚକିଆ ଯାନ ରହିବା ଭଳି ପାର୍କିଂ ସ୍ଥାନ ରହିଛି। ଅନ୍ୟପଟେ ଏଟିଏମ୍‌ ଫୁଡ୍‌ କୋର୍ଟ, ରେସ୍ତୋରାଁ, ବାଣିଜ୍ୟିକସ୍ଥଳ ପ୍ରଭୃତି ମଧ୍ୟ ନିର୍ମାଣାଧୀନ ରହିଛି। ୨୦୧୭ମସିହାରେ ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ ଯୋଜନା ହୋଇଥିଲା। ୨୦୧୮ରେ ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବରେ ଏହି ବଡ଼ ପ୍ରକଳ୍ପର ଘୋଷଣା କରିଥିଲେ।

Related Posts