ଏଥିକ୍ସ କମିଟି ସାମ୍ନାରେ ହାଜର ହେବା ପୂର୍ବରୁ କମିଟିର ଯାଞ୍ଚ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଲେ ମହୁଆ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଟଙ୍କା ନେଇ ସଂସଦରେ ପ୍ରଶ୍ନ କରିବା ଅଭିଯୋଗରେ ଫସିଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବୁଧବାର କହିଛନ୍ତି ଯେ, ସେ ଆଜି (ନଭେମ୍ବର ୨) ଲୋକସଭାର ସଦାଚାର କମିଟି ନିକଟରେ ହାଜର ହେବେ। ଏହା ପୂର୍ବରୁ ଏକ୍ସ (ଟ୍ୱିଟର)ରେ ସେ ଦୁଇ ପୃଷ୍ଠାର ଏକ ଚିଠି ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ ବିରୋଧରେ ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗ ଆଣିଥିବା ସୁପ୍ରିମ୍‌କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କୁ ଜେରା କରିବାକୁ ତାଙ୍କର ଇଚ୍ଛା ବିଷୟରେ ଉଲ୍ଲେଖ କରିଛନ୍ତି।

ଏଥି ସହ ମହୁଆ ତାଙ୍କୁ ପାର୍ଲାମେଣ୍ଟ ଲଗ୍‌-ଇନ୍ ବିବରଣୀ ଦେଇଛନ୍ତି ବୋଲି ଶପଥପାଠ ମାଧ୍ୟମରେ ସ୍ବୀକାର କରିଥିବା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ମଧ୍ୟ ସେ ପ୍ରଶ୍ନ ପଚାରିବାକୁ ଦାବି କରିଛନ୍ତି। ଯଦି ଏଥିକ୍ସ କମିଟି କୌଣସି ବିଭାଗଠାରୁ ମଗାଯାଇଥିବା ରିପୋର୍ଟ ଉପରେ ନିର୍ଭର କରେ, ତେବେ ତାଙ୍କୁ ଦସ୍ତାବିଜର ଏକ କପି ପ୍ରଦାନ କରାଯିବା ସହ ସମ୍ପୃକ୍ତ ବିଭାଗକୁ କ୍ରସ୍ ଜେରା କରିବାକୁ ଅନୁମତି ଦିଆଯାଉ ବୋଲି ମୈତ୍ର କହିଛନ୍ତି।

ମହୁଆ ପୁନଶ୍ଚ ଦାବି କରିଛନ୍ତି ଯେ, ଲୋକସଭା ଏଥିକ୍ସ କମିଟିର ଆପରାଧିକ ଅଭିଯୋଗର ଯାଞ୍ଚ କରିବାର କ୍ଷମତା ନାହିଁ। କମିଟି ଅଧ୍ୟକ୍ଷ ବିନୋଦ କୁମାର ସୋନକରଙ୍କୁ ଲେଖିଥିବା ଚିଠିରେ ମହୁଆ ମୈତ୍ର କହିଛନ୍ତି, ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ସରକାରଙ୍କ ଦ୍ୱାରା କମିଟିର ଅପବ୍ୟବହାରକୁ ରୋକିବା ପାଇଁ ଆମ ଦେଶର ପ୍ରତିଷ୍ଠାତାମାନେ ଜାଣିଶୁଣି କମିଟିକୁ ଏହି କ୍ଷମତା ଦେଇ ନାହାନ୍ତି। କମିଟି କାର୍ଯ୍ୟରେ ରାଜନୈତିକ ପକ୍ଷପାତିତା ପାଇଁ କୌଣସି ସ୍ଥାନ ନାହିଁ ବୋଲି ମହୁଆ କମିଟିକୁ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କମିଟି ସାଂସଦମାନଙ୍କ ପାଇଁ କୌଣସି ଆଚରଣ ବିଧି ଜାରି କରିନାହିଁ। ତାହାକୁ ଦୃଷ୍ଟିରେ ରଖି ମାମଲାର ନିରପେକ୍ଷ ବିଚାର କରିବାକୁ ସ ଦାବି କରିଛନ୍ତି।

Related Posts