ମାଳତିପାଟପୁରରେ ପ୍ରତିଷ୍ଠା ହେବ ବନ୍ଦେ ଭାରତ ଏକ୍ସପ୍ରେସର ଡିପୋ

ଭୁବନେଶ୍ୱର,୨୨/୧୦(ସତ୍ୟପାଠ ବ୍ୟୁରୋ):  ଓଡ଼ିଶାରେ ପୁରୀ ରେଳଷ୍ଟେସନର ପ୍ରଥମ କରି ଯାତ୍ରା ଆରମ୍ଭ କରିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ଜରିଆରେ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ଆଉ ଏକ ନୂଆ ମାଇଲଖୁଣ୍ଟ ଯୋଡ଼ିହେବାକୁ ଯାଉଛି। ପୁରୀ ଜିଲ୍ଲା ମାଳତୀପାଟପୁରଠାରେ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରମୁଖ ରକ୍ଷଣାବେକ୍ଷଣ ଡିପୋ ସ୍ଥାପନ ହେବାକୁ ଯାଉଛି।

ଏଥିପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୨୮୮.୮୧ କୋଟି ଟଙ୍କାର ଇପିସି(ଇଂଜିନିୟରିଂ, ପ୍ରୋକ୍ୟୁରମେଣ୍ଟ ଓ କନ୍ଷକସନ୍  କସନ୍) ଟେଣ୍ଡର ଆହ୍ବାନ କରାଯାଇଛି। ଏହି ଟଙ୍କାରେ ବନ୍ଦେ ଭାରତ ଏକ୍ସପ୍ରେସର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେବ। 

ଏ ନେଇ ଗତ ଅକ୍ଟୋବର ୧୮ ତାରିଖରେ ରେଳବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ଡିପୋ ସ୍ଥାପନ ହେଲେ, ରେଳଯାତ୍ରା କ୍ଷେତ୍ରରେ ପୁରୀ ସହ ଓଡ଼ିଶା ଆଉ ପାଦେ ଆଗକୁ ଯିବ। ଟେଣ୍ଡର ପ୍ରକ୍ରିୟା ଶେଷ ପରେ ଟେଣ୍ଡର ନେଇଥିବା ଠିକାସଂସ୍ଥା ୧୮ ମାସ ଅର୍ଥାତ୍ ଦେଢ଼ ବର୍ଷ ଭିତରେ ଏହି ଡିପୋ ନିର୍ମାଣ କାର୍ଯ୍ୟ ଶେଷ କରିବ। ଓଡ଼ିଶା ରେଲ୍ ୟୁଜର୍ସ ସଂଘର ପ୍ରତିଷ୍ଠାତା ରଂଜିତ ସ୍ବାଇଁ କହିଛନ୍ତି, ଆଗକୁ ବହୁ ସଂଖ୍ୟାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିବାର ଲକ୍ଷ୍ୟ ରହିଛି। ଚେୟାର କାର୍, ସ୍ଲିପର ଭଳି ଅନେକ ସୁବିଧା ଏଥିରେ ଉପଲବ୍ଧ ହେବାକୁ ଯାଉଛି। ଏହା ପ୍ରତିଷ୍ଠା ହେଲେ ରେଳଯାତ୍ରା କ୍ଷେତ୍ରରେ ସବୁ ଅଭିଳାଷ ପୂରଣ ହୋଇପାରିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

Related Posts