ଝାରପଡ଼ା ଜେଲରେ କଏଦୀଙ୍କୁ ଆକ୍ରମଣ; ଏଡିଜିଙ୍କ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୨/୯(ସତ୍ୟପାଠ ବ୍ୟୁରୋ):   ଝାରପଡ଼ା ଜେଲରେ ହାଇଦର ପୁଅ ମାଡ଼ରେ ବନ୍ଦୀର ମୁଣ୍ଡ ଫାଟିବା ଘଟଣା ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର । କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।

ସୌମ୍ୟକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଜେଲ୍‌ ଭିତରେ କଏଦୀଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜେଲ୍‌ର କିଛି ଅଧିକାରୀ ବି ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି। କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଝାରପଡ଼ା ଜେଲ୍‌ ଯାଇ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଡିଆଇଜି ଅନୁସୟା ଜେନା। ଜେଲର ଗୁମର ଫିଟାଇବାରୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।

ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଥିବା ସୌମ୍ୟକାନ୍ତ ମହାନ୍ତି କିଛି ଦିନ ତଳେ ଭୁବନେଶ୍ୱର ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣ(DLSA)ଙ୍କୁ ଚିଠି ଲେଖି ଜେଲ୍‌ ଭିତରର ଗୁମର ଜଣାଇଥିଲେ। ଯେଉଁଥିରେ ଲେଖା ରହିଥିଲା ଯେ ଜେଲ୍‌ ଭିତରେ ଗଞ୍ଜେଇ ଭର୍ତ୍ତି ବିଡି ଗୋଟା ୨୦୦ ଟଙ୍କାରେ ବିକ୍ରି ହେଉଛି। ଚିଠି ମିଳିବା ପରେ ଗତ ଶନିବାର DLSA ଅଚାନକ ଜେଲ୍‌ରେ ଚଢ଼ଉ କରି ମୋବାଇଲ ଓ ନିଶା ଦ୍ରବ୍ୟ ଜବତ କରି ଲକ୍ଷ୍ମୀସାଗର ଥାନା ଜିମା ଦେଇଥିଲେ। ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ସହଯୋଗୀମାନେ ସୌମ୍ୟକାନ୍ତଙ୍କୁ ଆକ୍ରମଣ କରିଥିବା ସୌମ୍ୟ ଅଭିଯୋଗ କରିଥିଲେ। ଏହି ଘଟଣାର ଖୋଳତାଡ଼ ପାଇଁ ତଥା ଜେଲ୍‌ର କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର।

Related Posts