ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ନିର୍ଦ୍ଧାରିତ ସମୟରେ ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ଓ ଦ୍ବତୀୟ ପର୍ଯ୍ୟାୟରେ ଛତିଶଗଡ଼ର ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହି ପ୍ରମୁଖ ହିନ୍ଦୀ ଭାଷାଭାଷୀ ରାଜ୍ୟ ଦୁଇଟିରେ ଚାଲିଥିବା ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଛି। ମଧ୍ୟପ୍ରଦେଶରେ ବିଜେପି ସରକାର ଥିବା ବେଳେ ଛତିଶଗଡ଼ରେ କଂଗ୍ରେସ ସରକାର ରହିଛି।
ଆଜି ସକାଳ ୭ଟା ବେଳେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ୨୩୦ଟି ଆସନ ଲାଗି ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣରେ ୨,୫୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ୍ ଗ୍ରହଣ ପାଇଁ କରାଯାଇଥିବା ବୁଥ୍ରେ ଭୋଟ୍ ଦେବା ପାଇଁ ଲୋକେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି।
ନରସିଂହପୁର ଆସନରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ପଟେଲ୍ ଆଜି ସକାଳୁ ରାଜ୍ୟର ସମସ୍ତ ଭୋଟର୍ମାନଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରିଛନ୍ତି। ଇନ୍ଦୋର୍-୧ର ବିଜେପି ପ୍ରାର୍ଥୀ କୈଳାସ ବିଜୟବର୍ଗୀୟ ତାଙ୍କ ଇନ୍ଦୋର ବାସଭବନରେ ପୂଜାର୍ଚ୍ଚନା କରି ଜନସାଧରଣଙ୍କୁ ନିବେଦନ କରିଛନ୍ତି କି, ସେମାନେ ନିଶ୍ଚିତ ରୂପେ ଭୋଟ୍ ଦେଇ ମଧ୍ୟପ୍ରଦେଶରେ ‘ବିଜେପି’ ସରକାର ଗଠନ କରାନ୍ତୁ।