ସେପ୍ଟେମ୍ବର ପହିଲାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ ୨୦ ଲକ୍ଷ ୮୦ ହଜାର ପରିବାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ ବିସ୍ତାର ପାଇବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ସେପ୍ଟେମ୍ବର ପହିଲାରୁ ଆଉ କିଛି ଅଧିକ ହସପିଟାଲକୁ ସାମିଲ କରି ୨୦ ଲକ୍ଷ ୮୦ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ପୂର୍ବରୁ ୭୧ ଲକ୍ଷ ୬୯ ହଜାର ପରିବାର ସାମିଲ ହୋଇଥିବା ବେଳେ ଏବେ ରାଜ୍ୟର ମୋଟ ୯୬ ଲକ୍ଷ ପରିବାରରରୁ ୯୨ ଲକ୍ଷରୁ ଅଧିକ ଲୋକ ଏହା ଦ୍ବାରା ଉପକୃତ ହେବେ। ଏ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦୀପ୍ତ କୁମାର ମହାପାତ୍ର ଯୋଗ୍ଯ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ଶନିବାର ଦିନ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ।ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ।

ହିତାଧିକାରୀଙ୍କ ଯୋଗ୍ୟତା ମାପକାଠିରେ ପରିବର୍ତ୍ତନ କରାଯାଇ ନୂତନ ମାପଦଣ୍ଡ ସ୍ଥିର କରାଯାଇଛି। ବର୍ତ୍ତମାନର ମାପଦଣ୍ଡ ଅନୁଯାୟୀ ଗ୍ରାମାଞ୍ଚଳରେ ବାର୍ଷିକ ଆୟ ୫୦ ହାଜାର ତଳକୁ ଥିବା ସବୁ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡଧାରୀ, ବିପିଏଲ ପରିବାର, ଅନ୍ତୋଦୟ କାର୍ଡ ହିତାଧିକାରୀଙ୍କୁ ଏହି ସୁବିଧା ମିଳୁଥିଲା । ସହରାଞ୍ଚଳରେ ବାର୍ଷିକ ଆୟ ୬୦ ହଜାର ତଳକୁ ଥିବା ହିତାଧିକାରୀଙ୍କୁ ଏହି ସୁବିଧା ଉପଲବ୍ଧ ହେଉଥିଲା । କିନ୍ତୁ ବର୍ତ୍ତମାନର ନୂଆ ମାନଦଣ୍ଡ ଅନୁସାରେ ସବୁ ବିଜୁ କୃଷକ କଲ୍ୟାଣ ହିତାଧିକାରୀ , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ବିପିଏଲ୍, ଇନ୍ଦିରା ଆବାସ ଓ ସ୍ୱଳ୍ପ ଆୟକାରୀ ହିତାଧିକାରୀ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହେବେ ।

ସୂଚନା ଥାଉକି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ପରିବର୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରି ଏହି ଯୋଜନା ଅଧୀନରେ ସରକାର ସ୍ୱାସ୍ଥ୍ୟ ସେବାରେ ବାର୍ଷିକ ହିତାଧିକାରୀଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାର ସହାୟତା ମିଳୁଛି ।ସରକାର ରାଜ୍ୟ ଭିତରେ ଏବେ ୧୮୩ଟି ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଉଥିବା ବେଳେ ରାଜ୍ୟ ବାହାରର ୧୭ଟି ହସ୍ପିଟାଲରେ ମଧ୍ୟ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଉଛି । ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାର ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ । ପରବର୍ତ୍ତୀ ପର୍ଯ୍ୟାୟରେ ୧୪ ନଭେମ୍ବର ସୁଦ୍ଧା ସବୁ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ ।

Related Posts