ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୧୩/୯(ସତ୍ୟପାଠ ବ୍ୟୁରୋ):  ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜାମିନ । ୬ ମାସ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ । ସିବିଆଇ ଦ୍ୱାରା ପଞ୍ଜୀକୃତ ମାମଲାରେ ସୁପ୍ରିମକୋର୍ଟରୁ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମିଳିଛି । ଆଜି ଦୁଇଟି ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ପ୍ରଥମ ଆବେଦନ ଉପରେ କୋର୍ଟ ସିବିଆଇର ଗିରଫକୁ ବୈଧ ବୋଲି ବିବେଚନା କରିଥିଲେ । ସେହିପରି ଦ୍ୱିତୀୟ ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି ।  ଇଡି ମାମଲାରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବା ସମୟରେ ଯେଉଁ ସର୍ତ୍ତ ଲାଗୁ କରାଯାଇଥିଲା ତାହା ଏବେ ବି ଲାଗୁ ହେବ ବୋଲି କୋର୍ଟ କହିଛନ୍ତି । ଜେଲରୁ ବାହାରିବା ପରେ କେଜ୍ରିୱାଲ କୌଣସି ଫାଇଲରେ ଦସ୍ତଖତ କରିପାରିବେ ନାହିଁ । ଏହା ସହିତ CMOକୁ ଯିବା ଉପରେ ମଧ୍ୟ ପ୍ରତିବନ୍ଧକ ରହିବ । ସେହିପରି ଏହି ମାମଲାରେ କେଜ୍ରିୱାଲ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି ।

ତେବେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଆମ ଆଦମୀ ପାର୍ଟିର ନେତା ଓ ସମର୍ଥକଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି |

Related Posts