(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ସ୍କୁଲ ପରେ ଏବ କଲେଜରେ ହେବ ଏକ୍ସଟ୍ରା କ୍ଲାସ । ଶିକ୍ଷକଙ୍କ ଖରାଛଟି ବାତିଲ ହେବା ପରେ ଏବେ କଲେଜରେ ଅଧ୍ୟାପକମାନେ କରିବେ ଏକ୍ସଟ୍ରା କ୍ଲାସ । ଦୁର୍ବଳ ଏବଂ ନିୟମିତ ଆସୁନଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ୍ସଟ୍ରା କ୍ଲାସ କରିବା ଉପରେ ଜୋର ଦେଇଛନ୍ତି ଉଚ୍ଚଶକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏଣିକି ପ୍ରାକ୍ଟିକାଲ କ୍ଲାସ ଯେପରି ନିୟମିତ ତା’ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଶିକ୍ଷାରେ ସଂସ୍କାର ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଛିଦିନ ହେବ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଉଛି । ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ବାୟୋମ୍ୟାଟ୍ରିକ ଉପସ୍ଥାନ ହେଉ ବା ୭ଘଣ୍ଟାର ରହଣୀ ଭଳି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ଏହାଦ୍ବାରା ବାସ୍ତବରେ ଶିକ୍ଷାରେ ଗୁଣାତ୍ମକ ପରିବର୍ତ୍ତନ ହେଉଛି କି ନାହିଁ ତାହାର ଉତ୍ତର ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ନାହିଁ ।
ଏଠାରେ ପ୍ରଶ୍ନ ଉଠୁଛି ସଂସ୍କାର ଆଳରେ ମୌଳିକ ଦିଗଗୁଡିକୁ ଅବହେଳା କରାଯାଉଥିବା ନେଇ ଯେଉଁ ଅଭିଯୋଗ ହେଉଛି ସେଥିପ୍ରତି କିନ୍ତୁ ଧ୍ୟାନ ଦିଆଯାଉ ନାହିଁ । ଅଧ୍ୟାପକ କର୍ମଚାରୀ ସଂଘର କହିବାନୁସାରେ ରାଜ୍ୟର ଉଚ୍ଚଶିକ୍ଷାର ୮୦ ପ୍ରତିଶତ ଦାୟିତ୍ୱ ଗତ ୨୫ ବର୍ଷ ଧରି ତୁଲାଇ ଆସୁଥିବା ଏ ରାଜ୍ୟର ୧୫ ହଜାର କର୍ମଚାରୀ ଏକ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ସରକାରଙ୍କ ଏ ସଂସ୍କାର କାହା ପାଇଁ ?
ଯେଉଁ ବିଭାଗରେ ୮୦ ଭାଗ କର୍ମଚାରୀ ବିନା ଚାକିରି ସର୍ତ୍ତାବଳୀ ଆଉ ଅବସର ସୁବିଧାରେ କାର୍ଯ୍ୟ କରୁଛନ୍ତି । ଏପରିକି ସୋନେ ମରି ହଜିଗଲେ ତାହାର ଉତ୍ତର ସରକାରଙ୍କ ପାଖରେ ନାହିଁ । ସେଠାରେ ଏ ଏକ୍ସଟ୍ରା କ୍ଲାସ ବା ୭ ଘଣ୍ଟାର ଉପସ୍ଥାନ କେବଳ ପ୍ରଚାର ସର୍ବସ୍ବ ଯୋଜନା ନୁହେଁ ତ ଆଉ କ’ଣ ବୋଲି କର୍ମଚାରୀମାନେ କହିଛନ୍ତି ।
ପ୍ରଥମେ ସମାନ କାର୍ଯ୍ୟକୁ ସମାନ ବେତନ ଦିଆଯାଉ, ଗୋଟିଏ ଛାତ ତଳେ ଭିନ୍ନ ଭିନ୍ନ ବେତନ ବ୍ୟବସ୍ଥାକୁ ଦୁର କରାଯାଉ, ଚାକିରୀ ସର୍ତ୍ତାବଳୀ ସହ ପେନସନ ସୁବିଧା ଯୋଗାଇ ଦିଆଯାଉ । ତା’ପରେ ସରକାରଙ୍କ ସବୁ ନିର୍ଦ୍ଦେଶ ମାନିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ତାହା ନକରି ଗୋଟିଏ ପଟେ ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣକୁ ମୁହଁକୁ ଠେଲି ଦେଇ ଅନ୍ୟ ପଟରେ ସଂସ୍କାର ନାଁରେ ଗୋଟିଏ ପରେ ଗୋଟିଏ ନିୟମ ପ୍ରଚଳନ କରିବାର ମାନେ କିଛି ନାହିଁ । ଯେ ପର୍ଯ୍ୟନ୍ତ ଶିକ୍ଷା ଶିକ୍ଷକ ଆଉ ଶିକ୍ଷାୟତନ ମଧ୍ୟରେ ସମନ୍ବୟ ରଖି ସମସ୍ୟାର ପ୍ରକୃତ ସମାଧାନ କରା ନଯାଇଛି ସେ ଯାଏ ଏ ସମସ୍ତ ସଂସ୍କାରମୂଳକ ପଦକ୍ଷେପ କେବଳ ଧର୍ମକୁ ଆଖିଠାର ବୋଲି ବୁଝିବାକୁ ପଡିବ ।