ପଶ୍ଚିମବଙ୍ଗରେ ପାରିତ ହେଲା ଦୁଷ୍କର୍ମ ବିରୋଧୀ ବିଲ୍ ‘ଅପରାଜିତା’; ଜାଣନ୍ତୁ ଏଥିରେ କ’ଣ ରହିଛି ଦଣ୍ଡ ବ୍ୟବସ୍ଥା?

ଭୁବନେଶ୍ୱର,୩/୯(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭାରେ ଆଜି ସର୍ବସମ୍ମତି କ୍ରମେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା ମହିଳା ଓ ଶିଶୁ ସୁରକ୍ଷା’ ବିଲ୍‌ ପାରିତ ହୋଇଛି । ଆଜି ବେଙ୍ଗଲର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ କରିଛନ୍ତି। ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି।

ବିଧାନସଭାରେ ‘ଅପରାଜିତା’ ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ। ‘ଅପରାଜିତା ମହିଳା ଏବଂ ଶିଶୁ ବିଲ୍’ (ପଶ୍ଚିମବଙ୍ଗ ଅପରାଧିକ ଆଇନ ଏବଂ ସଂଶୋଧନ) 2024 ଆଇନ ଅନୁସାରେ, ଦୁଷ୍କର୍ମ ଓ ଗଣଦୁଷ୍କର୍ମର ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। 21 ଦିନ ମଧ୍ୟରେ ମାମଲାର ବିଚାର କରାଯାଇ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିନା ପାରୋଲ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ। ସେହିପରି ଏସିଡ୍ ଆଟାକ୍ ଏବଂ ପୀଡାତାଙ୍କ ପରିଚୟ ପ୍ରକାଶ କରିଥିଲେ ଦଣ୍ଡ ବ୍ୟବସ୍ଥା ରହିଛି।

ସେପଟେ, ଏହି ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଐତିହାସିକ ଏବଂ ମଡେଲ ବୋଲି କହିଛନ୍ତି। ସେ କହିଛନ୍ତି, “ଏହି ବିଲ୍ ସରକାରଙ୍କ ଦ୍ୱାରା ପରିଚାଳିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସ୍ୱରୂପ।” । ଆରଜି କର ହସ୍ପିଟାଲର ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ଗତକାଲି ଆଲୋଚନା ପରେ ଆଜି ବେଙ୍ଗଲ ଆଣ୍ଟି-ରେପ୍ ବିଲ୍ ବା ଦୁଷ୍କର୍ମ ବିରୋଧୀ ବିଲ୍ ‘ଅପରାଜିତା’ ପାରିତ ହୋଇଛି।

ବିଜେପି ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଛି। କିନ୍ତୁ ମହିଳା ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅପରାଧର ମୁକାବିଲା ପାଇଁ ଭାରତୀୟ ନ୍ୟାୟ ସଂହିତା (BNS)ରେ ମଧ୍ୟ କଡା ବ୍ୟବସ୍ଥା ରହିଛି ବୋଲି ବିଜେପି କହିଛି। ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏହି ବିଲ୍ରେ ସାତୋଟି ସଂଶୋଧନ ପାଇଁ ଏକ ପ୍ରସ୍ତାବ ଆଗତ କରିଛନ୍ତି। ସେ କହିଛନ୍ତି, “ଆମେ ଏହି (ଦୁଷ୍କର୍ମ ବିରୋଧୀ) ଆଇନ ଶୀଘ୍ର କାର୍ଯ୍ୟକାରୀ ହେଉ ବୋଲି ଚାହୁଁ, ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଆମେ ଫଳାଫଳ ଚାହୁଁ। ଆମେ କୌଣସି ବିଭାଜନ ଚାହୁଁ ନାହୁଁ, ଆମେ ଆପଣଙ୍କୁ (ରାଜ୍ୟ ସରକାର) ସମ୍ପୂର୍ଣ୍ଣ ସମର୍ଥନ କରୁଛୁ। ଆମେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ଆରାମରେ ଶୁଣିଲୁ, ସେ ଯାହା ଚାହାନ୍ତି ତାହା କରିପାରିବେ। କିନ୍ତୁ ବିଲର ତୁରନ୍ତ କାର୍ଯ୍ୟକାରିତା ହେଉ।”

ଅପରାଜିତା ବିଲରେ ଆଉ କଣ ରହିଛି ନିୟମ..

  • ଷ୍କର୍ମ ଓ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ।
  • ଚାର୍ଜସିଟ୍ ଦାଖଲ କରିବାର 36 ଦିନ ମଧ୍ୟରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା।
  • 21 ଦିନ ମଧ୍ୟରେ ତଦନ୍ତ ଶେଷ ହେବ।
  • ଅପରାଧୀଙ୍କୁ ସାହାଯ୍ୟ କରିଥିଲେ 5 ବର୍ଷ କାରାଦଣ୍ଡ।
  • ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ଆପରାଜିତା ଟାସ୍କ ଫୋର୍ସ ଗଠନ ପାଇଁ ବ୍ୟବସ୍ଥା।
  • ଦୁଷ୍କର୍ମ, ଏସିଡ୍ ମାଡ଼ ଏବଂ ନିର୍ଯାତନା ଭଳି ମାମଲାରେ ଏହି ଟାସ୍କଫୋର୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
  • ଏସିଡ୍ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି।
  • 30 ଦିନ ମଧ୍ୟରେ ସମସ୍ତ ପ୍ରକାର ଯୌନ ଅପରାଧ ଏବଂ ଏସିଡ୍ ଆକ୍ରମଣର ପରୀକ୍ଷା ଶେଷ କରିବାକୁ ବ୍ୟବସ୍ଥା।
  • ପୀଡିତାଙ୍କ ପରିଚୟ ପ୍ରକାଶ କରିଥିଲେ 3-5 ବର୍ଷ ଜେଲ୍ ଦଣ୍ଡ।
  • ଦୁଷ୍କର୍ମ ତଦନ୍ତ ଏବଂ ବିଚାରକୁ ତ୍ୱରାନ୍ୱିତ କରିବା ପାଇଁ ବିଲରେ ବିଏନଏସ (ଭାରତୀୟ ନ୍ୟାୟ ସଂହିତା) ବ୍ୟବସ୍ଥାରେ ସଂଶୋଧନ ଅନ୍ତର୍ଭୁକ୍ତ।
Related Posts