ରାଜ୍ୟରେ ପୁଣି ଦାନ ମାଝୀ ଘଟଣାର ପୁନରାବୃତ୍ତି: ମୃତଦେହକୁ ମିଳିଲାନି ମହାପ୍ରୟାଣ ଗାଡି, ୯ ବର୍ଷୀୟ ପୁଅର ମର ଶରୀରକୁ କାନ୍ଧରେ ବୋହିକି ନେଲା ବାପା

ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ହରିଜନ ସାହିରେ ଘଟିଛି ଏକ ହୃଦୟ ବିଦାରକ ଘଟଣା | ପୁଣି ଥରେ ରାଜ୍ୟରେ ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଛି | ଯାହାକୁ ନେଇ ଚର୍ଚା ଜୋର ଧରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡି ନମିଳିବା ନେଇ ଫଳରେ ନିଜ ୯ ବର୍ଷୀୟ ପୁଅର ମର ଶରୀରକୁ ପ୍ରାୟ 500 ମିଟର ଜନଗହଳି ରାସ୍ତାରେ କାନ୍ଧରେ ବୋହି ଜଣେ ବାପା ଓ ସାଥିରେ ମା ସହ ସଂପର୍କୀୟମାନେ କାନ୍ଦ ବୋବାଳି ପକାଇ ଯାଉଥିବା ହୃଦୟ ବିଦାରକ ଦୃଶ୍ୟ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଡାକ୍ତର ଲାଲମୋହନ ରାଉତରାଏ ।

ମୃତ ଶିଶୁ ଜଣକ ହେଲେ ସୂରଧର ବେନିଆଙ୍କ ୯ ବର୍ଷୀୟ ପୁଅ ଆକାଶ ବେନିଆ । ଗତକାଲି ରାତ୍ରିରେ ଆକାଶକୁ ଝାଡାବାନ୍ତି ହେବାରୁ ଆଜି ସକାଳେ ସେ ଅଧିକ ଗୁରୁତର ହୋଇଥିଲେ। ବାପା ସୂରଧର ଓ ପରିବାର ଲାେକେ ଆକାଶର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ସେହି ସମୟରେ ମେଡିକାଲରେ କାଜୁଆଲିଟି ଦାୟିତ୍ୱରେ ଥିବା ଡାକ୍ତର ରାଜେନ୍ଦ୍ର ସୋରେନ ଆକାଶକୁ ପ୍ରାଥମିକ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ।ତେବେ ଦୀର୍ଘ ସମୟ ଧରି ପୁଅର ମର ଶରୀରକୁ ନେବା ପାଇଁ କୌଣସି ବ୍ୟବସ୍ଥା ନ ପାଇ ଶେଷରେ ବାଧ୍ୟ ହୋଇ ବାପା ସୁରଧର ନିଜ କାନ୍ଧରେ ଘରକୁ ବାେହି ନେଇ ପୁଅର ଅନ୍ତିମ ସତ୍କାର କରିଥିଲେ। ତେବେ ପୁଅକୁ କାନ୍ଧରେ ବୋହି ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related Posts