ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ, ଗାଈ ସହ ଧକ୍କା ହୋଇ କ୍ଷତିଗ୍ରସ୍ତ ହେଲା ଟ୍ରେନର ସମ୍ମୁଖ ଭାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ଗୁଜୁରାଟରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଟ୍ରେନଟି ଏକ ଗାଈ ସହିତ ଧକ୍କା ହେବା ଯୋଗୁଁ ଟ୍ରେନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଫଳରେ ଟ୍ରେନରୁ ଏକ ବଗି ଅଲଗା ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣା ଭାଲସାଡର ଅତୁଲ ରେଲେଓ୍ଵ ଷ୍ଟେସନରେ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବନ୍ଦେ ଭାରତ ଏକ୍ସପ୍ରେସ ଭାଲସାଡରୁ ଅତୁଲ ରେଲେଓ୍ଵ ଷ୍ଟେସନରୁ ଯାଉଥିବା ବେଳେ ଟ୍ରେନ ଆଗରେ ଗାଈ ପଶିଆସିଥିଲା। ଗାଈ ସହିତ ଧକ୍କା ହେବା ପରେ ଟ୍ରେନର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିଲା। ଏହି ଘଟଣା ଆଜି ସକାଳ ୮ଟା ୧୭ ମିନିଟରେ ହୋଇଛି। ଘଟଣା ପରେ ୩୦ ମିନିଟ୍‌ ଧରି ଟ୍ରେନଟି ଅଟକି ରହିଥିଲା। ଏହି ଘଟଣାରେ ଟ୍ରେନର କପଲର କଭର କ୍ଷତିଗ୍ରସ୍ତ ହୋଇଛି। ଏହାସହିତ ବିସିୟୁ କଭର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ଯୋଗୁ ଟ୍ରେନ ୨୭ ମିନିଟ ଅଟକି ରହିବା ପରେ ପୁଣି ଗନ୍ତବ୍ୟ ଉଦ୍ଦେଶ୍ୟରେ ବାହାରି ଯାଇଛି।

ତେବେ ଏହା ପୂର୍ବରୁ ମୁମ୍ବାଇ ସେଣ୍ଟ୍ରାଲରୁ ଗୁଜରାଟ ଗାନ୍ଧୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରେନ ଏକ ମଇଁଷି ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଟ୍ରେନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିଲା। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ । ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ଯିବା ରସ୍ତାରେ ୱଟୱା ଓ ମଣିନଗର ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଥିଲା।

ସୂଚନାଯୋଗ୍ୟ ଯେ, ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଏଥିରେ ଜିପିଏସ୍ ଆଧାରିତ ଇନଫର୍ମେସନ ସିଷ୍ଟମ, ସିସିଟିଭି କ୍ୟାମେରା, ଭ୍ୟାକୁମ ଆଧାରିତ ବାୟୋ ଟୟଲେଟ୍, ଅଟୋମେଟିକ ସ୍ଲାଇଡିଂ ଡୋର ଓ ପ୍ରତି କୋଚରେ ୪ଟି ଜରୁରିକାଳୀନ ପୁସ୍ ବଟନ ରହିଛି।

Related Posts