ରାଷ୍ଟ୍ରପତିଙ୍କୁ ଦିଆଗଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ସମାରୋହରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଶୁକ୍ରବାର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କମିଟିର ସଭାପତି ନୃପେନ୍ଦ୍ର ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଏବଂ ଆରଏସଏସ ନେତା ରାମ ଲାଲ ରାଷ୍ଟ୍ରପତି ଭବନ ଯାଇ ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହକୁ ନିମନ୍ତ୍ରଣ କରିଥିଲେ।

ଏ ସଂପର୍କରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜାନୁଆରି ୨୨ ତାରିଖରେ ହେବାକୁ ଥିବା ରାମ ମନ୍ଦିରରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ଏହାକୁ ନେଇ ରାଷ୍ଟ୍ରପତି ବହୁତ ଖୁସି ବ୍ୟକ୍ତ କରିବା ସହ ଖୁବଶୀଘ୍ର ଅଯୋଧ୍ୟା ଆସିବାପାଇଁ ସମୟ ନିର୍ଦ୍ଧାରଣ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ହଜାର ହଜାର ଲୋକ ଯୋଗଦେବେ।

ଏହା ପୂର୍ବରୁ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ କାହିଁକି ନିମନ୍ତ୍ରଣ ଦିଆଯାଇନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ ।

Related Posts