ଦିଲ୍ଲୀର ଜନ୍ତର ମନ୍ତରରେ ଲାଗିଲା ମୁସଲିମ୍ ବିରୋଧୀ ନାରା, ମାମଲା ରୁଜୁ କଲା ପୋଲିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦିଲ୍ଲୀର ଜନ୍ତର ମନ୍ତରରେ ଲାଗିଲା କଥିତ ମୁସଲିମ୍ ବିରୋଧୀ ନାରା। ଦିଲ୍ଲୀ ପୋଲିସର ସୂଚନାନୁସାରେ ବିନା ଅନୁମତିରେ ରବିବାର ଦିନ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ଆଣ୍ଟି ମୁସଲମାନ ନାରା ଦିଆଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ବର୍ତ୍ତମାନ ପୋଲିସ ଏହି ମାମଲାରେ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ “ରାମ, ରାମ” ନାରା ମଧ୍ୟରେ ମୁସଲମାନମାନଙ୍କୁ ଧମକ ଦେଉଥିବା ସ୍ଲୋଗାନ ମଧ୍ୟ ଶୁଣିବାକୁ ମିଳିଥିଲା। କୁହାଯାଉଛି ଯେ ସୁପ୍ରିମକୋର୍ଟର ଓକିଲ ତଥା ଦିଲ୍ଲୀ ବିଜେପିର ପୂର୍ବତନ ପ୍ରବକ୍ତା ଅଶ୍ୱାନୀ ଉପାଧ୍ୟାୟଙ୍କ ଦ୍ୱାରା ଏହି ପଦଯାତ୍ରା ଆୟୋଜିତ କରାଯାଇଥିଲା। କିନ୍ତୁ ସେ କହିଛନ୍ତି ଯେ ସେ ଭିଡିଓ ବିଷୟରେ ଅବଗତ ନୁହଁନ୍ତି। କେବଳ ପାଞ୍ଚ କିମ୍ବା ଛଅ ଜଣ ସ୍ଲୋଗାନ ଦେଉଥିଲେ ଏବଂ ଏଭଳି ସ୍ଲୋଗାନ ଦେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

  ସଂସଦ ଠାରୁ କିଛି କିଲୋମିଟର ଦୂରରେ ଥିବା ଦେଶର ଅନ୍ୟତମ ପ୍ରମୁଖ ପ୍ରତିବାଦସ୍ଥଳରେ ଆୟୋଜିତ ହୋଇଥିବା ଏହି ରାଲିରେ ସଦସ୍ୟମାନେ କଥିତ ନାରା ଦେଉଥିଲେ ଯେ ହିନ୍ଦୁସ୍ତାନ ମେ ରେହନା ହୋଗା ତୋ ଜୟ ଶ୍ରୀ ରାମ କେହନା ହୋଗା (ଭାରତରେ ରହିବାକୁ ଅଛି ତ ଜୟ ଶ୍ରୀ ରାମ କହିବାକୁ ହେବ )।  ବର୍ତ୍ତମାନ ଦିଲ୍ଲୀ ପୋଲିସ ଏହି ମାମଲାରେ ଏକ ମାମଲା ଦାୟର କରିଛି ଏବଂ ଭିଡିଓରେ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ହଟ୍ ସ୍ପିଚ୍ ପାଇଁ ଜଣାଶୁଣା ପୁରୋହିତ ନରସିଂହାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ଏହି ସ୍ଲୋଗାନ ଦିଆଯାଇଥିଲା। ପୁରାତନ ଔପନିବେଶିକ ଯୁଗର ନିୟମକୁ ବିରୋଧ କରି  ଏହି ପଦଯାତ୍ରା ଆୟୋଜିତ ହୋଇଥିଲା।

ବରିଷ୍ଠ ପୋଲିସ ଅଧିକାରୀ ଦୀପକ ଯାଦବ କହିଛନ୍ତି, “ଯେଉଁମାନେ ସେଠାରେ ଏକତ୍ରିତ ହୋଇଥିଲେ ସେମାନେ ଦିଲ୍ଲୀ ପୋଲିସ କୌଣସି ଅନୁମତି ନଥିଲା। ଏହି ଘଟଣା ଏବେ ଆମ ନଜରକୁ ଆସିଛି ଯେ କିଛି ଲୋକ ଉତ୍ତେଜନାମୂଳକ ତଥା ଆପତ୍ତିଜନକ ସ୍ଲୋଗାନ ଦେଇଥିଲେ। ଆମେ ଏକ ଭିଡିଓ ମଧ୍ୟ ପାଇଛୁ। ତେଣୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। “

 ଆଜି ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱାଇସି ମଧ୍ୟ ଏହି ପ୍ରସଙ୍ଗକୁ ସଂସଦରେ ମଧ୍ୟରେ ଉଠାଇଛନ୍ତି। ଓୱାଇସି ଲୋକସଭାରେ କହିଛନ୍ତି ଯେ ମୁସଲମାନମାନଙ୍କ ବିରୋଧରେ “ନରସଂହାର ସ୍ଲୋଗାନ” ଲଗାଗଲା କିନ୍ତୁ ଏଥିରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବାସଭବନଠାରୁ ୨୦ ମିନିଟ ଦୂରରେ ଥିବା ଜନ୍ତର ମନ୍ତରେ ଏଭଳି ସ୍ଲୋଗାନ ଦିଆଯାଇଛି। ଏଭଳି ହୋଲିଗାନ୍ସର ସାହସିକତାର ରହସ୍ୟ କ’ଣ ? ସେମାନେ ଜାଣନ୍ତି ଯେ ମୋଦି ସରକାର ସେମାନଙ୍କ ସହିତ ଛିଡ଼ା ହୋଇଛନ୍ତି। ଜୁଲାଇ ୨୪ ରେ, କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ଅଧିନିୟମ (ଏନଏସଏ) ଅଧୀନରେ କୌଣସି ବି ବ୍ୟକ୍ତିଙ୍କୁ ଅଟକ ରଖିବାକୁ ଦିଲ୍ଲୀ ପୋଲିସକୁ ଅଧିକାର ଦେଇଥିଲେ।  ତଥାପି ଦିଲ୍ଲୀ ପୋଲିସ ଚୁପଚାପ୍ ଏହି ଦୃଶ୍ୟକୁ ଦେଖୁଛି ବୋଲି ଶ୍ରୀ ଓୱାଇସି କହିଛନ୍ତି।

Related Posts