ରକ୍ତରଞ୍ଜିତ ହେଲା ଆମେରିକା ରୋବ ଏଲିମେଣ୍ଟାରୀ ସ୍କୁଲ: ଚାଲିଗଲା ୨୧ ଜଣଙ୍କ ଜୀବନ

ୱାଶିଂଟନ: ଆମେରିକା ଟେକ୍ସାସ୍‌ର ୱାର୍ଲ୍ଡ ସହରରେ ଥିବା ରୋବ ଏଲିମେଣ୍ଟାରୀ ସ୍କୁଲ ରେ ଜଣେ ୧୮ ବର୍ଷୀୟ ଯୁବକ ଆଖି ବୁଜା ଗୁଳି ମାଡ଼ କରିଛି | ଫଳରେ ରକ୍ତରଞ୍ଜିତ ହୋଇପଡିଛି ସ୍କୁଲ । ଏହି ଫାୟାରିଂରେ ଚାଲିଗଲା ୨୧ ନୀରିହ ଜୀବନ। ମୃତକଙ୍କ ମଧ୍ୟରେ ୧୮ ଛାତ୍ରଛାତ୍ରୀ ଥିବା ବେଳେ ୩ ଜଣ ଶିକ୍ଷକ ଥିବା ଜଣାଯାଇଛି।

ଅଭିଯୁକ୍ତ ଜଣକ ସାଲଭାଡୋର ରାମୋସ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ଆମେରିକୀୟ ନାଗରିକ ବୋଲି ଜଣାପଡ଼ିଛି। ଏହି ଗୁଳିକାଣ୍ଡରେ ତାଙ୍କର ବି ମୃତ୍ୟୁ ହୋଇଛି। ଏପରି ହୃଦୟ ବିଦାରକ ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗଭୀର ଶୋକ ପ୍ରକାଶ କରିବା ସହ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ଘଟିଥିବା ଏପରି ଭୟାନକ କାଣ୍ଡ ଭିଆଇଥିବା ଅଭିଯୁକ୍ତଜଣକ ପ୍ରଥମେ ଘରେ ନିଜ ଜେଜେମା’ଙ୍କ ଉପରକୁ ଗୁଳି ଚଳାଇଥିଲେ। ବୃଦ୍ଧାଜଣକ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ସେ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧି ଘଟଣାସ୍ଥଳରୁ ନିଜ କାର୍‌ରେ ଫେରାର ହୋଇଯାଇଥିଲେ। ସନ୍ଦେହ କରାଯାଉଛି ଯେ ସେ ନିଜ ସହିତ ଏକ ବନ୍ଧୁକ ଏବଂ ଏକ ରାଇଫଲ ମଧ୍ୟ ନେଇ ଯାଇଥିଲେ। ସେ ହାତରେ ରାଇଫଲ ଧରି ରୋବ ଏଲିମେଣ୍ଟାରୀ ସ୍କୁଲ ପ୍ରବେଶ କରିଥିଲେ। ଏହାପରେ ଗୋଟି ଗୋଟି ରୁମ୍‌କୁ ଯାଇ ଆଖି ବୁଜା ଗୁଳି ଚାଳନା କରିଥିଲେ।

ଆଖି ପିଛୁଳାକେ ସ୍କୁଲ ପରିସରରୁ ଗୁଳିର ଶବ୍ଦ ସହ ଛୋଟ ଛୋଟ ପିଲାଙ୍କ ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳିଲା। ଖବର ପାଇ ସ୍ଥାନୀୟ ପୁଲିସ୍‌ ସେଠାରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ପୁଲିସ୍‌ ଗୁଳିରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମୃତଦେହ ମଧ୍ୟ ଘଟଣାସ୍ଥଳରୁ ମିଳିଥିବା ଜଣାଯାଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମୃତକଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେଇ ସେ କହିଛନ୍ତି, ବହୁ ମାତାପିତା ଆଉ କେବେ ବି ନିଜ ସନ୍ତାନଙ୍କୁ ଦେଖି ପାରିବେନି । ଶରୀରରୁ ଆତ୍ମା ବାହାରିଲେ ଯେପରି କଷ୍ଟ ଅନୁଭୂତ ହୁଏ ନିଜ ପିଲାଙ୍କୁ ହରାଇବାର ଦୁଃଖ ତା’ଠୁ ଢେର ଗୁଣ ଅଧିକ । ତେଣୁ ଏପରି ଦୁଃଖଦ ସମୟରେ ସମଗ୍ର ଦେଶ ସେମାନଙ୍କ ସହ ଛିଡ଼ା ହୋଇଛି ବୋଲି କହିଛନ୍ତି ବାଇଡେନ ।

Related Posts