ଭାରତକୁ ୨୯୭ଟି ପ୍ରାଚୀନ କଳାକୃତିକୁ ହସ୍ତାନ୍ତର କଲା ଆମେରିକା

ଭୁବନେଶ୍ୱର,୨୩/୯(ସତ୍ୟପାଠ ବ୍ୟୁରୋ):  ଏବେ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଦେଶ ବାହାରକୁ ଚୋରା ଚାଲାଣ ହୋଇଥିବା ୨୯୭ଟି ପ୍ରାଚୀନ କଳାକୃତିକୁ ଆମେରିକା ଭାରତକୁ ହସ୍ତାନ୍ତର କରିଛି। ସୂଚନାଯୋଗ୍ୟ, କଳାକୃତି ବେଆଇନ ଚାଲାଣ ବିରୋଧରେ ଲଢ଼େଇକୁ ସୁଦୃଢ଼ କରିବା ପାଇଁ ଭାରତ-ଆମେରିକା ପୂର୍ବରୁ ଚୁକ୍ତି କରିଛନ୍ତି ଏବଂ ଏହି ପ୍ରକ୍ରିୟାରେ ଭାରତରୁ ଚୋରା ଚାଲାଣ ହୋଇଥିବା ସାମଗ୍ରୀ ଆମେରିକାରେ ଠାବ ହେବାପରେ ଏହାକୁ ଆମେରିକା ଭାରତକୁ ହସ୍ତାନ୍ତର କରୁଛି।

‘ଭାରତକୁ ଏବେ ପୁଣି ଥରେ ଆମେରିକା ୨୯୭ଟି ଅମୂଲ୍ୟ କଳାକୃତି ଫେରାଇ ଦେଇଥିବାରୁ ମୁଁ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଆମେରିକା ସରକାରକୁ ଧନ୍ୟବାଦ ଜଣାଉଛି’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। 

ଏହି କଳାକୃତି କେବଳ ଭାରତର ଐତିହାସିକ ଭୌତିକ ସଂସ୍କୃତିର ଅଂଶ ନୁହେଁ, ବରଂ ଏହା ସଭ୍ୟତା ଓ ଚେତନା ସହ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହାକୁ ମିଶାଇ ୨୦୧୪ରୁ ଭାରତ ହାସଲ କରିଥିବା ଐତିହାସିକ କଳାକୃତି ସଂଖ୍ୟା ୬୪୦କୁ ବୃଦ୍ଧି ପାଇଥିବା ବେଳେ କେବଳ ଆମେରିକାରୁ ଫେରିଥିବା କଳାକୃତି ସଂଖ୍ୟା ୫୭୮ରେ ପହଞ୍ଚିଛି ବୋଲି ଅଧିକାରୀମାନେ କହିଛନ୍ତି। ଏହା ହେଉଛି ଯେକୌଣସି ଦେଶ ଭାରତକୁ ଫେରାଇଥିବା ସାଂସ୍କୃତିକ କଳାକୃତିର ସର୍ବାଧିକ ସଂଖ୍ୟା । 

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଦ୍ୱାଦଶ ଶତାବ୍ଦୀର ଚମତ୍କାର ବ୍ରୋଞ୍ଜ ନଟରାଜ ମୂର୍ତ୍ତି ସମେତ ୧୫୭ଟି ପ୍ରାଚୀନ କଳାକୃତି ଆମେରିକା ସରକାର ହସ୍ତାନ୍ତର କରିଥିଲେ। ସେହିପରି ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର କିଛି ଦିନ ପରେ ୧୦୫ଟି କଳାକୃତି ଭାରତକୁ ଫେରାଇ ଦିଆଯାଇଥିଲା।

Related Posts