ୟୁନିଫର୍ମ ସିଭିଲ୍ କୋଡ୍ କୁ AIMPLB ର ବିରୋଧ , ବୋର୍ଡ଼ କହିଲା ଏହା ” ଅସାମ୍ବିଧାନିକ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର :  ୟୁନିଫର୍ମ ସିଭିଲ୍ କୋଡ୍ ଅର୍ଥାତ୍ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ପ୍ରକାର ପର୍ସନାଲ ନିୟମ ଲାଗୁ କରିବା । ବର୍ତ୍ତମାନ ଏହି ୟୁସିସିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ସାଙ୍ଗକୁ ବିବାଦ ମଧ୍ୟ ଦେଖାଦେଇଛି। ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ (AIMPLB) ପ୍ରସ୍ତାବିତ ୟୁନିଫର୍ମ ସିଭିଲ କୋଡ (ୟୁସିସି) କୁ ବିରୋଧ କରିଛି। AIMPLB କହିଛି ଯେ, ‘ଭାରତ ଭଳି ଏକ ବିବିଧ ଦେଶ ପାଇଁ ଏଭଳି ଏକ ଅସାମ୍ବିଧାନିକ ଏବଂ ଅବ୍ୟବହାରିକ ଆଇନର ଆବଶ୍ୟକତା ନାହିଁ। 

 ଦେଶରେ UCC ଲାଗୁ କରିବା ଦିଗରେ ସରକାରଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ଉପରେ ପୁନର୍ବିଚାର କରିଯିବାର ଆବଶ୍ୟକତା ରହିଛି। ବୋର୍ଡ଼ କହିଛି ଯେ କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ପରିବର୍ତ୍ତେ  ଶିକ୍ଷା, ରୋଜଗାର, ଦରବୃଦ୍ଧି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଭଳି ମୌଳିକ ସମସ୍ୟା ଗୁଡିକ ଉପରେ ଧ୍ୟାନ ଦେବା ଆବଶ୍ୟକ ।

 ଏକ ବିବୃତ୍ତିରେ ବୋର୍ଡ ସଚିବ ଏବଂ ମୁଖପାତ୍ର ମୌଲାନା ଖାଲିଦ ସାଇଫୁଲ୍ଲା ରହମାନୀ କହିଛନ୍ତି ଯେ ଦେଶ ସମସ୍ତଙ୍କୁ ନିଜ ପସନ୍ଦର ଧର୍ମ ଗ୍ରହଣ କରିବାର ଅଧିକାର ଦେଇଥାଏ।

ସେ ଆହୁରି ମଧ୍ୟ କହିଛନ୍ତି “UCC କୁ କେବଳ ସେହି ଦିଗରେ ଏବଂ ଉଚିତ ଲକ୍ଷ୍ୟରେ ଆଣିବା ଆବଶ୍ୟକ ଯାହା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ମୌଳିକ ଅଧିକାର ଅଟେ। UCC ଦ୍ବାରା ଲାଭ ଅପେକ୍ଷା କ୍ଷତି ଅଧିକ ବୋଲି ମୌଲାନା କହିଛନ୍ତି । ଏହା ଶାରିଆ (ମୁସଲମାନ ଧାର୍ମିକ ଆଇନ), ଆଇନଗତ ଅଧିକାରର ବିରୋଧୀ ଅଟେ। ଦେଶର ବିଭିନ୍ନ ନାଗରିକଙ୍କ ଜୀବନର ସାମାଜିକ ତଥା ସାଂସ୍କୃତିକ ଦିଗ ମଧ୍ୟ ରହିଛି ବୋଲି ମୌଲାନା ରହମାନି କହିଛନ୍ତି।

 ମୌଲାନା ବିଜେପିକୁ ଟାର୍ଗେଟ କରି କହିଛି ଯେ , ” ଭାରତୀୟ ଜନତା ପାର୍ଟି ସରକାର ରୋଜଗାର ଏବଂ ବିକାଶ ଭଳି ମୂଳ ପ୍ରସଙ୍ଗରୁ ଦୂରେଇ ରହିବା ପାଇଁ ଏହି ଆଇନ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ କରିଥାଏ। ସଂସଦର ମୌସୁମୀ ଅଧିବେଶନରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଏବଂ ୟୁସିସି ପ୍ରାଇଭେଟ୍ ବିଲ୍ ଭାବେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି । ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ପାସ୍ କରିବାକୁ ମଧ୍ୟପ୍ରଦେଶ ସରକାର ସ୍ଥିର କରିଛନ୍ତି। ମଧ୍ୟପ୍ରଦେଶ ସରକାରଙ୍କ ଏହି ନିଷ୍ପତିକୁ ଆମେ ଦୃଢ ବିରୋଧ କରୁଛୁ ବୋଲି ମୌଲାନା କହିଛନ୍ତି । “

 ସେ ସ୍ପଷ୍ଟ କରିଛନ୍ତି ଯେ “ଶରିୟା (ମୁସଲମାନ ଧାର୍ମିକ ଆଇନ) ମୁସଲମାନମାନଙ୍କୁ କିଛି ଅଧିକାର ପ୍ରଦାନ କରିଥାଏ ଯାହାକୁ ୟୁସିସିରେ ବିରୋଧ କରାଯାଇଥାଏ। ଏହି ଆଇନ ଦ୍ବାରା ଏକାଧିକ ବିବାହ କରିବାର ପ୍ରବଧାନ ରଦ୍ଦ ହେବାର ସମ୍ଭାବନା ରହିଛି । ସେହିପରି ଛାଡପତ୍ର ଦେବାର ଅଧିକାର ସ୍ୱାମୀଙ୍କଠାରୁ ଛଡ଼ାଇ ନିଆଯିବ ଏବଂ ମହିଳାଙ୍କୁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ । ଦମ୍ପତ୍ତିଙ୍କ ମଧ୍ୟରେ ମ୍ୟୁଚିଆଲ ଛାଡପତ୍ର ବିଲୋପ ହେବାର ଆଶଙ୍କା ରହିଛି ।”

 ଅଲ୍ ଇଣ୍ଡିଆ ଶିଆ ମୁସଲିମ୍ ପର୍ସନାଲ ବୋର୍ଡ (AISMPLB) ପ୍ରସ୍ତାବିତ ଜନସଂଖ୍ୟା ବିଲ୍ କୁ ପୂର୍ବରୁ ବିରୋଧ କରିସାରିଛି ।

Related Posts