ଟ୍ୱିଟର, ଅମାଜନ୍ ପରେ ଏବେ ଜମାଟୋ ଆରମ୍ଭ କଲା କର୍ମଚାରୀଙ୍କ ଛଟେଇ, ୪ % କର୍ମଚାରୀଙ୍କ ଛଟେଇ ନେଇ କମ୍ପାନିର ଯୋଜନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫୁଡ ଡେଲିଭରୀ ଆପ୍ ଜମାଟୋ ଏବେ ତାର କମ୍ପାନୀରୁ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଛି । କମ୍ପାନୀ ତାର ଲାଭ ଅଧିକ କରିବା ଓ ବିନିଯୋଗ କମ୍ କରିବା ଲକ୍ଷ୍ୟରେ ଏଭଳି ଛଟେଇ କରୁଥିବା କଥା କୁହାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚଳିତ ସପ୍ତାହରେ ଏପର୍ଯ୍ୟନ୍ତ କମ୍ପାନୀ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରିସାରିଛି ।ହେଲେ ଆଗାମୀ ଦିନରେ କମ୍ପାନୀ ତାର ମୋଟ କର୍ମଚାରୀରୁ ୪ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ କରିସାରିଛି ।

ସେପଟେ ଗୋଟିଏ ଦିନ ପୂର୍ବରୁ ଜମାଟୋର କୋ – ଫାଉଣ୍ଡର ମୋହିତ ଗୁପ୍ତା ଇସ୍ତଫା ଦେଇସାରିଥିଲେ । ମୋହିତଙ୍କୁ ମିଶାଇ ଚଳିତ ସପ୍ତାହରେ କମ୍ପାନୀ ୩ ଜଣ ଶୀର୍ଷ ଅଧିକାରୀ ଇସ୍ତଫା ଦେଇସାରିଛନ୍ତି । ଏସବୁକୁ ନଜର କଲେ ଅନୁମାନ କରାଯାଏ କି କମ୍ପାନୀର ଶୀର୍ଷ ପରିଚାଳକଙ୍କ ମଧ୍ୟରେ କିଛି ଅସୁବିଧା ହୋଇଛି । ଏପଟେ ଛଟେଇ ଖବର ଆସିବା ପରେ ଏହା ସ୍ପଷ୍ଟ ହୋଇଛି କି, କମ୍ପାନୀ ତରଫରୁ ବିନିଯୋଗ କମ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ ଛଟେଇ ଉପରେ କମ୍ପାନୀ ତରଫରୁ କୌଣସି ବୟାନ ଜାରି କରାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଦେଶର ବଡ ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ପ୍ରଥମେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ତରଫରୁ ବଡ ଧରଣର ଛଟେଇ କରାଯାଇଥିଲା। ଏହାପରେ ଅନଲାଇନ୍ ସପିଙ୍ଗ ସାଇଟ ଅମାଜନ ମଧ୍ୟ ଏହାର କର୍ମଚାରୀଙ୍କୁ ଛଟେଇ କରିଥିଲା। ଗୋଟିଏ ପଟେ ଦେଶରେ ସରକାରୀ ଚାକିରୀର କ୍ଷେତ୍ର ସଂକୋଚିତ ହେଉଥିବା ବେଳେ ଦେଶର ବଡ ବଡ କମ୍ପାନୀମାନେ ଏଭଳି ଭାବେ କର୍ମଚାରୀଙ୍କୁ ଛଟେଇ କରିବା ଆଗାମୀ ଦିନରେ ବେକାରୀ ସମସ୍ୟା ଉକ୍ରଟ ହୋଇପାରେ ।

Related Posts