ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଖନନ ପରେ ବର୍ତ୍ତମାନ ମାଟିକୁ ନେଇ ବଢ଼ୁଛି ବିବାଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଖନନ ପରେ ବର୍ତ୍ତମାନ ମାଟିକୁ ନେଇ ବଢ଼ୁଛି ବିବାଦ । ତେବେ ଖନନସ୍ଥଳରୁ ଗଙ୍ଗବଂଶ ରାଜତ୍ବ କାଳର ପ୍ରାଚୀନ କୀର୍ତ୍ତିରାଜି ମିଳିବା ପରେ ଆହୁରି ବିବାଦୀୟ ହୋଇପଡ଼ିଛି ଏହି ପ୍ରକଳ୍ପ। ଏଭଳିସ୍ଥଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ବେଳେ ଯେଉଁ ମାଟି ବାହାରିଲା, ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। କାରଣ ଏହି ମାଟିରେ ଏଭଳି ଅନେକ କୀର୍ତ୍ତିରାଜି ଥାଇପାରେ, ଯାହା ମାଟି ସହ ଅନ୍ୟତ୍ର ଚାଲିଯାଇଛି। ଏଣୁ ଏହାର ଖୋଳତାଡ଼ ହେବା ଜରୁରୀ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଖନନ ଫଳରେ ଖାଲି ଯେ ଏହି ମାଟିର ପବିତ୍ରତାକୁ ନଷ୍ଟ କରି ଦିଆଯାଇନି, ମାଟି ତଳେ ରହିଥିବା ଅତୀତର କୀର୍ତ୍ତିକୁ ବି ନଷ୍ଟ କରି ଦିଆଯାଇଛି। ଜିପିଆର୍‌ଏସ୍ ଅନୁଧ୍ୟାନ କରିଥିଲେ, କାଳେ ଏହି କୀର୍ତ୍ତିରାଜି ସବୁ ଜଣାପଡ଼ି ଯାଇଥାନ୍ତା, ସେ ଦୃଷ୍ଟିରୁ ରାତାରାତି ଖନନ କରି ମାଟି ବୋହି ନିଆଯାଇଛି। ଏହାର ଭିଡିଓଗ୍ରାଫି ବି କରାଯାଇନାହିଁ। ତେଣୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଖନନ ହୋଇଥିବା ମାଟି କୁଆଡ଼େ ଯାଇଛି ତା’ର ତଦନ୍ତ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଓବିସିସି ଓ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ପକ୍ଷରୁ ଖନନ କାର‌୍ୟ୍ୟ ପ୍ରଥମେ ପଶ୍ଚିମଦ୍ବାରରୁ ଆରମ୍ଭ ହୋଇଥିଲା। ଗଡ଼ନ୍ତି ଛକରୁ ଗାଣ୍ଡୁଆ ଚୌରା ଛକ ପର‌୍ୟ୍ୟନ୍ତ ପ୍ରାୟ ୩୦ରୁ ୪୦ ଫୁଟ ଓସାରଓ ପ୍ରାୟ ୩୦ ଫୁଟ ଗର୍ତ୍ତ କରି ମାଟିକୁ ରାତାରାତି ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଗଲା। ଖନନ ବେଳେ ପ୍ରତିଦିନ ରାତିରେ ମାଟି ଖୋଳି, ଜେସିବି, ଟ୍ରକ୍ ଲଗାଇ ଏହାକୁ ବୁହାଗଲା। ଏହି ମାଟି କେଉଁ ଜାଗାକୁ ପଠାଗଲା, କାହାରିକୁ କିଛି କୁହାଗଲାନି। ଅଧରାତିରେ ବଡ଼ଦାଣ୍ଡ ଶୂନଶାନ୍ ହେବା ପରେ ଏହି କାମ କରାଗଲା। ହଜାର ହଜାର ଟ୍ରିପ୍ ମାଟି ଉଠାଗଲା। ପରେ ସିମେଣ୍ଟ, ଗୋଡ଼ି, ବାଲିରେ କଂକ୍ରିଟ୍ ପିଲାର ତିଆରି କରି ବାଲିରେ ଏହାକୁ ପୋତି ଦିଆଗଲା। ପଶ୍ଚିମଦ୍ବାର ପରେ ପରେ ଦକ୍ଷିଣଦ୍ବାର ଓ ଏମାର ମଠ ଖାଲି ଜାଗା ଖନନ ହେଲା ଓ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଗଲା। ଏହି ମାଟିକୁ ବି ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ଏବେ ଉତ୍ତରଦ୍ବାର ଖନନ ଜାରି ରହିଛି। କିନ୍ତୁ କେହି ବି ଜିପିଆର୍‌ଏସ୍ ଅନୁଧ୍ୟାନ କଥା ଉଠାଇଲେ ନାହିଁ। ନା ପ୍ରତ୍ନତତ୍ତ୍ବ ବିଭାଗ ନା ଠିକା ସଂସ୍ଥା। ଯେଉଁଥିପାଇଁ ଆଜି ଭକ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ପ୍ରତ୍ନତତ୍ତ୍ବବିତ୍‌ମାନେ ବି ସନ୍ଦେହ ପ୍ରକଟ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts