(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଏସସି ସଦସ୍ୟଙ୍କ ପର୍ସନାଲ ସେକ୍ରେଟାରୀ ବିରଞ୍ଚି ସାହୁ ଗିରଫ ହୋଇଛନ୍ତି। ବିରଞ୍ଚି ସାହୁଙ୍କ ଗିରଫ ପରେ ଏବେ ଓଡ଼ିଶା ଷ୍ଟାଫ ସିଲେକ୍ସନ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇ ପ୍ରତିବାଦ କରିଛନ୍ତି ପରୀକ୍ଷାର୍ଥୀ। ଆସିଷ୍ଟାଣ୍ଟ କମରସିଆଲ ଟ୍ୟାକ୍ସ ଅଫିସର ପଦ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ମାନେ ପରୀକ୍ଷାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ପରୀକ୍ଷାର୍ଥୀ ମାନେ ଦାବି କରିଛନ୍ତି ଯେ ସେମାନେ କେତେ ନମ୍ବର ରଖିଛନ୍ତି, ତାହାର ପେପର ସେମାନଙ୍କୁ ଦିଆଯାଉ। ସେମାନେ ଘଟଣାର ତଦନ୍ତ ଦାବି କରିବା ସହ ଅସାଧୁ ଉପାୟରେ ଚାକିରି କରିଥିବା ପିଲାଙ୍କ ଚାକିରି ବାତିଲ କରିବାକୁ ଦାବି କରିଛନ୍ତି। ଏମଏଲଏ ପାର୍କରେ ଖରାରେ ବସି ପାଠପଢି ପରୀକ୍ଷାର୍ଥୀ ମାନେ ପ୍ରତିବାଦ ଜଣାଇଛନ୍ତି।
୨୦୧୬ ରେ ଆସିଷ୍ଟାଣ୍ଟ କମରସିଆଲ ଟ୍ୟାକ୍ସ ଅଫିସର ପାଇଁ ୧୧୫ଟି ପଦବୀ ବାହାରିଥିଲା। ଏଥିରେ ୬୦ ହଜାରରୁ ଅଧିକ ପିଲା ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୫୧୩ ଜଣ ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ପାଇଁ ଚୟନ ହୋଇଥିଲେ। ଏଥିରେ ବିଶ୍ୱନାଥ ପଣ୍ଡା ନାମକ ଛାତ୍ର ମନୋନୀତ ହୋଇଥିଲେ, ହେଲେ ଟଙ୍କା ଦେଇନଥିବାରୁ ତାଙ୍କୁ ଚାକିରି ମିଳିନଥିଲା। ଏପରି ଅନେକ ପିଲା ସମାନ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ ଦୀର୍ଘ ୨୦ ଘଣ୍ଟାର ମାରାଥନ ରେଡ୍ ପରେ ରାତି ସାଢ଼େ ୨ଟାରେ ଚଢାଉ ଶେଷ ହୋଇଥିଲା । ତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ସୁନା ରୂପା ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି । ବିରଞ୍ଚିଙ୍କ ଘରୁ ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ । ଏହା ସହିତ ୫୬ ଲକ୍ଷ ଟଙ୍କାର ଜୀବନବୀମା, ନଗଦ ୨୫ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍ ଜବତ କରିଛି ଭିଜିଲାନ୍ସ ।
ଏତଦ୍ ବ୍ୟତୀତ ନିଯୁକ୍ତି ସମ୍ବନ୍ଧୀୟ କିଛି ଆଡମିଟ୍ କାର୍ଡ, ଦାମୀ କାର ଏବଂ ବାଇକ ମଧ୍ୟ ଜବତ କରାଯାଇଛି । ରାଜଧାନୀ ଭୁବନେଶ୍ବରର ନୀଳାଦ୍ରିବିହାରରେ ଥିବା ୨ମହଲା ବିଲଡିଂ ସମେତ ଖୋର୍ଦ୍ଧା ଓ ପୁରୀରେ ୧୪ଟି ପ୍ଲଟ ଠାବ ହୋଇଛି ।
ଏପଟେ ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଜଣେ ସରକାରୀ ଚାକିରିଆଙ୍କୁ ଟଙ୍କା ନେବା ଓ ରଖିବା ସହଯୋଗ କରିବାରେ ଅଭିଯୋଗରେ ମାମଲା ରୁଜୁ ହୋଇଛି । ମିଳିଥିବା ସୂଚନା ମୁତାବକ ଖୁବଶୀଘ୍ର ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଭିଜିଲାନ୍ସ ।