ମଧ୍ୟପ୍ରଦେଶ ପରେ ଓଡ଼ିଶାର ନନ୍ଦନକାନନକୁ ଆସିବେ ୨ଟି ଚିତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଧ୍ୟପ୍ରଦେଶ ପରେ ଓଡ଼ିଶା ଆସିବ ଚିତା। ଦୁବାଇ ସଫାରି ପାର୍କରୁ ଗୋଟିଏ ଲେଖାଏଁ ଅଣ୍ଡିରା ଓ ମାଈ ଚିତା ନନ୍ଦନକାନନକୁ ଅଣାଯିବ। ଏହା ସହିତ ୫ଟି ଧଳା ସିଂହ ମଧ୍ୟ ଆଣିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃକକ୍ଷ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ମୋଡାଲିଟି ପ୍ରସ୍ତୁତ ଚାଲିିଥିବା ବେଳେ ଖୁବ୍‌ଶୀଘ୍ର କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ)ଙ୍କ ଅନୁମତି ଲୋଡ଼ାଯିବ।ଚିଡ଼ିଆଖାନା ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଦୁବାଇ ସଫାରି ପାର୍କ ସହ ଏକ ରାଜିନାମା ସ୍ୱାକ୍ଷରିତ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ନନ୍ଦନକାନନକୁ ଚିତା ଆଣିବାର ଏହା ପ୍ରଥମ ପ୍ରୟାସ ନୁହେଁ। ୨୦୧୯-୨୦ରେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ମାତ୍ର ଏଥିରେ ସଫଳତା ମିଳି ପାରି ନଥିଲା। ସେତେବେଳେ ଦୁଇଟି ଆଫ୍ରିକୀୟ ଚିତା, କଙ୍ଗାରୁ ଓ ୫ଟି ଜେବ୍ରା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହମତି ମିଳିଥିଲା। ମାତ୍ର ସିଜେଡ୍‌ଏ ଓ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକଙ୍କ ଅନୁମୋଦନ ପାଇବାରେ ନନ୍ଦନକାନନ କର୍ତ୍ତୃପକ୍ଷ ବିଫଳ ହୋଇଥିଲେ। ଯେଉଁଥିପାଇଁ ଏତେ ବଡ଼ ଯୋଜନା ଅଧାରେ ଅଟକି ଥିଲା, ଏବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତା ଆସିବା ପରେ ବିଶ୍ବର ଦ୍ରୁତତମ ସ୍ତନ୍ୟପାୟୀ ପ୍ରାଣୀକୁ ନନ୍ଦନକାନନକୁ ଆଣିବା ଯୋଜନା ପୁନର୍ଜୀବିତ ହୋଇଛି। ବନ ବିଭାଗ ଅଧିକାରୀମାନେ ମଧ୍ୟ ଏନେଇ ବୈଠକ କରି ଏହା ଉପରେ ଆଲୋନା ଜାରି ରଖିଛନ୍ତି।

Related Posts