କାଶୀପୁର ପରେ ଏବେ କୋରାପୁଟ ଦଶମନ୍ତପୁର ବ୍ଲକରେ ଝାଡ଼ାବାନ୍ତି ଭୟ: ଅନେକ ଆକ୍ରାନ୍ତ, ଜଣେ ମୃତ

କୋରାପୁଟ : ରାୟଗଡ଼ା ଜିଲ୍ଲା କାଶୀପୁର ପରେ ଏବେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ବି ଦେଖିବାକୁ ମିଳିଛି ସମାନ ଚିତ୍ର । ବିଶେଷ କରି ତୁମ୍ବାଗୁଡ଼ା ପଞ୍ଚାୟତରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଗତ ୪ ଦିନ ତଳେ ତୁମ୍ବାଗୁଡ଼ା ପଞ୍ଚାୟତ ଅଧୀନ ହାତୀମୁଣ୍ଡା ଗାଁର ପ୍ରାୟ ୧୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ହାତୀମୁଣ୍ଡା ଗାଁର କାଳିଚନ୍ଦ୍ର ଗୌଡ ନାମକ ଜଣେ ବ୍ୟକ୍ତିଙ୍କର ଦଶମନ୍ତପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଖବର ଜାଣିବା ପରେ ଦଶମନ୍ତପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ଝାଡ଼ାବାନ୍ତିରୁ ରକ୍ଷା ପାଇବା ପାଇଁ ସଚେତନ କରୁଛନ୍ତି ।

ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଗତକାଲି ପୁଣି ୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହାତୀମୁଣ୍ଡା ଗାଁରେ ୭ ଦିନିଆ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି । କୋରାପୁଟ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପ୍ରମୁଖ ହାତୀ ମୁଣ୍ଡା ଗାଁକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।କାଶୀପୁରରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏ ଯାବତ 8 ଜଣ ଆଖି ବୁଜି ସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪ରେ ପହଞ୍ଚିଛି କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପଛରେ ବିପଦଜନକ ଭିବ୍ରିଓ କଲେରା ବୀଜାଣୁ ଧରାପଡ଼ିବା ପରେ ମୁକାବିଲା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛି ପ୍ରଶାସନ । ଗତକାଲି ସୁଦ୍ଧା ବିଭିନ୍ନ ମେଡିକାଲରେ ୫୪ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ୪୮ ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା କରାଯିବା ସହ ସ୍ଥିତି ଅନୁଧ୍ୟାନ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଡଙ୍ଗାସିଲ ଓ ମାଣ୍ଡିବିଶି ଗାଁରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଗାଁକୁ ଗାଁ ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ମେଡ଼ିକାଲ୍ ଟିମ୍ ବି ମୁତୟନ ହୋଇଛନ୍ତି । ଉତ୍କଳ ଆଲୁମିନା ହସ୍ପିଟାଲରେ ୫୦ଟି ବେଡକୁ ନେଇ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ଏହାବାଦ ସମସ୍ତ ଜଳ ଉତ୍ସ ଗୁଡ଼ିକୁ ବିଶୋଧନ ସହ ଲୋକଙ୍କୁ ବିଶୋଧିତ ପାନୀୟ ଜଳ ଯୋଗାଇ ଦିଆଯାଉଥିବା କହିଛି ଜିଲ୍ଲା ପ୍ରଶାସନ । ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା ପାଇଁ କଲେରା ପ୍ରୋଟୋକଲ୍ ଅନୁସାରେ, ପ୍ରତିକାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।

Related Posts