(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନ ତାଲିବାନ ଅଧିନକୁ ଆସିବା ପରେ ସେଠାକାର ଜନତା ଭୟରେ ଦେଶ ଛାଡି ପଳାୟନ କରୁଛନ୍ତି। ତେବେ ତାଲିବାନର ଆତଙ୍କ ଜାରି ରହିଥିବା ବେଳେ କିଛି ମହିଳା ତାଲିବାନ ଶାସନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଏହାର ଏକ ଭିଡିଓ ଅଲଜଜିରା ସମ୍ବାଦଦାତା ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି। ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳାମାନେ ରାଜଧାନୀ କାବୁଲରେ ହାତରେ ପ୍ଲାକାର୍ଡ ଧରି ନିଜ ଅଧିକାର ଦାବିରେ ତାଲିବାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ଏହା ପ୍ରଥମ ପ୍ରଦର୍ଶନ।
ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ମହିଳା ନିଜ ହାତରେ ପ୍ଲାକାର୍ଡ଼ ଧରି ନାରା ଦେଉଛନ୍ତି। ତେବେ ମହିଳାମାନେ ରାସ୍ତାରେ ପ୍ରଦର୍ଶନ କରୁଥିବା ସମୟରେ ତାଲିବାନୀ ସଂଗ୍ରାମୀମାନେ ପାଟ୍ରୋଲିଂ କରୁଛନ୍ତି। ମହିଳାମାନେ ଦାବି କରିଛନ୍ତି ଯେ, ଆଫଗାନ ରାଜନୀତି, ଶାସନ ଓ ଅର୍ଥବ୍ୟବସ୍ଥା ସହ ଜଡିତ ନିଷ୍ପତ୍ତିରେ ସେମାନଙ୍କ ଭାଗିଦାରୀ ରହିବା ଉଚିତ।
ସୂଚନାଯୋଗ୍ୟ ଯେ, ତାଲିବାନ ମଙ୍ଗଳବାର ଦିନ କହିଥିଲା ଯେ ସେ ମହିଳାଙ୍କୁ ଇସଲାମର ଶରିଆ ଆଇନ ଅନୁଯାୟୀ ସେମାନଙ୍କ ଅଧିକାର ଦେବା ପାଇଁ ପ୍ରସ୍ତୁତ ଅଛି। ୨୦ ବର୍ଷ ପରେ ପୁଣି ଆଫଗାନିସ୍ତାନରେ କ୍ଷମତା ହାସଲ କରିଥିବା ତାଲିବାନର ଏହା ପ୍ରଥମ ସାମ୍ବାଦିକ ସମ୍ମିଳନୀ ଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ତାଲିବାନ ପ୍ରବକ୍ତା କହିଥିଲା ଯେ, ‘ତାଲିବାନ ମହିଳାଙ୍କୁ ଇସଲାମ ନିୟମ ଅନୁସାରେ ସେମାନଙ୍କ ଅଧିକାର ପ୍ରଦାନ କରିବାକୁ ପ୍ରତିବଦ୍ଧ। ମହିଳାମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବଂ ଅନ୍ୟ କ୍ଷେତ୍ରରେ କାମ କରିପାରିବେ, ଯେଉଁଠି ସେମାନଙ୍କର ଆବଶ୍ୟକତା ରହିଛି। ମହିଳାଙ୍କ ପାଇଁ କୌଣସି ଭେଦଭାବ ରହିବନି।’
ତାଲିବାନ ପ୍ରବକ୍ତା ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି, ଆମେ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ କାହାରି କିଛି କ୍ଷତି ହେବ ନାହିଁ। ତାଲିବାନ ମୁଖପାତ୍ର କହିଛନ୍ତି, “ଆମେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ସହିତ କୌଣସି ପ୍ରକାର ଝଗଡ଼ା ଚାହୁଁ ନାହୁଁ। ଆମର ଧାର୍ମିକ ବିଶ୍ୱାସ ଅନୁଯାୟୀ କାର୍ଯ୍ୟ କରିବାର ଅଧିକାର ଆମର ଅଛି। ଅନ୍ୟ ଦେଶର ଭିନ୍ନ ଭିନ୍ନ ମତ, ନିୟମ ରହିଛି। ଆମର ମୂଲ୍ୟବୋଧ ଅନୁଯାୟୀ ଆଫଗାନିସ୍ତାନର ନିଜର ଅଧିକାର ରହିବା ଉଚିତ। ”