ଆଦାନୀ ଲାଞ୍ଚ ମାମଲା: ଜଗନଙ୍କ ନାଁ ଉଠିବା ପରେ, ନବୀନଙ୍କ ଉପରେ ବଢିଲା ସନ୍ଦେହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଦାନୀ ଲାଞ୍ଚ ମାମଲା: ଜଗନଙ୍କ ନାଁ ଉଠିବା ପରେ, ନବୀନଙ୍କ ଉପରେ ବଢିଲା ସନ୍ଦେହ ଗୌତମ ଆଦାନୀ ଏବଂ ତାଙ୍କ ବୋର୍ଡର ୭ ଜଣ ସଦସ୍ୟଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି ଆମେରିକାର ଏକ କୋର୍ଟ। ଏମାନେ ସୋଲାର ପାୱାର ସପ୍ଲାଏ ଠିକା ପାଇଁ ଭାରତର ସରକାରୀ ଅଧିକାରୀଙ୍କୁ ୨୬୫ ନିୟୁତ ଡଲାର ବା 2200 କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ତେବେ ଆମେରିକା କୋର୍ଟଙ୍କ ଏହି ୱାରେଣ୍ଟ ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି|

ଭାରତର ଚାରିଟି ରାଜ୍ୟ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ରହିଛି, ଯେଉଁମାନଙ୍କ ମଧ୍ୟରେ ଓଡ଼ିଶା ମଧ୍ୟ ଅଛି। ଅଭିଯୋଗ ଅନୁସାରେ 2021ରେ ଅଦାନୀ ନିଜେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡିଙ୍କୁ ଭେଟିବା ପରେ ଆନ୍ଧ୍ର ସରକାର 7,000 MW ର ବିଦ୍ୟୁତ କିଣିବାକୁ ରାଜି ହୋଇଥିଲେ | ଆଉ ଅଦାନୀ ଗ୍ରୁପ ପକ୍ଷରୁ ଆନ୍ଧ୍ରର ସରକାରୀ ଅଧିକାରୀ ମାନଙ୍କୁ ପ୍ରତି MW ପିଛା 25 ଲକ୍ଷ ଟଙ୍କା ଲାଞ୍ଚ ଦିଆଯାଇଥିଲା | 7,000 MW ପାଇଁ ମୋଟ 1,750 କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି | ଏନେଇ https://scroll.in/ ପକ୍ଷରୁ ରିପୋର୍ଟ କରାଯଇଛି |

ତେବେ ସେହି ସମୟରେ ଓଡ଼ିଶା ମଧ୍ୟ ଅଦାନୀ ଗ୍ରୁପ ପାଖରୁ 500 MW ବିଦ୍ୟୁତ କିଣିଥିବା ଅଭିଯୋଗ ହୋଇଛି | ଆଉ ଆନ୍ଧ୍ରରେ ଦିଆଯାଇଥିବା ପ୍ରତି MW ପିଛା 25 ଲକ୍ଷ ଟଙ୍କା ଲାଞ୍ଚ ଅନୁସାରେ ଓଡ଼ିଶାରେ ମଧ୍ୟ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି | ତେବେ ୨୦୨୧ ଜୁଲାଇରୁ ୨୦୨୨ ଫେବ୍ରୁଆରି ମଧ୍ୟରେ ଏ କାରବାର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସେ ସମୟରେ ଓଡିଶା ରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରର ଶାସନ ଚାଲିଥିଲା। ତେଣୁ କେଉଁ ଅଧିକାରୀ ଏହି ଲାଞ୍ଚ କାରବାରରେ ସାମିଲ ଅଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇ ଯାଇଛି |

ସବୁଠାରୁ ବଡ଼ କଥା ହେଲା ନିଜେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଅଦାନୀଙ୍କୁ ଭେଟିଥିବା ନେଇ ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ନବୀନଙ୍କ ଉପରେ ମଧ୍ୟ ସନ୍ଦେହ ବଢିଛି | ବର୍ତମାନ ରାଜ୍ୟରେ ସରକାର ବଦଳିଥିବା ବେଳେ ନୂଆ ସରକାର ଏହା ଉପରେ ତଦନ୍ତ କରୁଛନ୍ତି କି ନାହିଁ ତାକୁ ଅପେକ୍ଷା | ଆନ୍ଧ୍ର, ଓଡିଶା ବ୍ୟତୀତ ଛତିଶଗଡ଼ ଓ ତାମିଲନାଡୁ ସହ ମଧ୍ୟ ଅଦାନୀ ଗ୍ରୁପ ଲାଞ୍ଚ କାରବାର କରିଥିବା ଅଭିଯୋଗ ହୋଇଛି | ସେପଟେ ଅଦାନୀ ଗ୍ରୁପ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି | ଅଭିଯୋଗ ସବୁ ଭିତ୍ତିହୀନ ଓ ଏହାର ମୁକାବିଲା କରିବା ଆଇଁ ସବୁ ସମ୍ଭାବ୍ୟ ଆଇନଗତ ଦିଗକୁ ଅନୁସନ୍ଧାନ କରାଯାଉଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Related Posts