ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏଣିକି ଟ୍ରାନ୍ସଫର ଓ ପୋଷ୍ଟିଂ ପାଇଁ ଚାପ ପକାଇଲେ ହେବ ଆକ୍ସନ। ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା। ନେତା-ମନ୍ତ୍ରୀଙ୍କ ଲିଖିତ ସୁପାରିଶ ଆଣି ନିଜର ବଦଳି ଓ ପଦୋନ୍ନତି ପାଇଁ ଚାପ ପକାଇବା ଏଣିକି ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିବ।
ମୁଖ୍ୟ ସଚିବ ଆଜି ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ବଦଳି ଓ ନିଯୁକ୍ତି ପାଇଁ ପକାଯାଉଥିବା ଅଯଥା ପ୍ରଭାବ ଓ ଚାପ ଉପରେ କଟକଣା ଜାରି କରିଛନ୍ତି। ଏହା ସହିତ ଏହି ଗାଇଡଲାଇନର ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଚିବ ଓ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ତାଙ୍କ ଚିଠିରେ ଲେଖିଛନ୍ତି, କିଛି ସରକାରୀ କର୍ମଚାରୀ ନିଜର ବଦଳି କିମ୍ବା ନିଯୁକ୍ତି ପାଇଁ ବାହ୍ୟ ଚାପ ପକାଇବାକୁ ପ୍ରୟାସ କରୁଛନ୍ତି। ଏଭଳି ଅଭ୍ୟାସ ‘ଓଡ଼ିଶା ଗଭର୍ଣ୍ଣମେଂଟ ସର୍ଭ୍ୟାଣ୍ଟ କଣ୍ଡକ୍ଟ ରୁଲସ୍-୧୯୫୯ର ରୁଲ-୨୩ର’ ସିଧାସଳଖ ଉଲ୍ଲଘଂନ।
ସରକାରୀ କର୍ମଚାରୀମାନେ ନିଜର ଆଚରଣରେ ଉଚ୍ଚମାନର ନିଷ୍ଠା ବଜାୟ ରଖିବା ସହ ସମସ୍ତ ସେବା ପ୍ରସଙ୍ଗରେ ସ୍ୱଚ୍ଛତା ଓ ପାରଦର୍ଶିତାର ନୀତି ଅବଲମ୍ବନ କରିବା ଆବଶ୍ୟକ। ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଚଳିତ ନୀତି ଆଧାରରେ ସ୍ୱାଭାବିକ ଭାବେ କର୍ମଚାରୀମାନଙ୍କ ବଦଳି ଓ ନିଯୁକ୍ତି କରାଯାଇଥାଏ। ତେଣୁ ଏହି ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଯେକୌଣସି ପ୍ରକାରର ଉଦ୍ୟମକୁ ଗୁରୁତର ଖରାପ ଆଚରଣ ଭାବେ ବିଚାର କରାଯିବ ଓ ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମୁଖ୍ୟ ସଚିବ ଚିଠିରେ ଦର୍ଶାଇଛନ୍ତି।