‘ବଲିଉଡ଼ରେ ସବୁ ଧର୍ମର ଅବଦାନକୁ ସ୍ବୀକାର କର’; ପାୱାରଙ୍କୁ କଡା ସମାଲୋଚନା କଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଳା ଓ ସଙ୍ଗୀତ କ୍ଷେତ୍ରକୁ ସଂଖ୍ୟାଲଘୁମାନଙ୍କର ସର୍ବାଧିକ ଯୋଗଦାନ ରହିଛି। ସେହିଭଳି ବଲିଉଡ଼କୁ ମୁସଲମାନଙ୍କର ଏବଂ ଉର୍ଦ୍ଦୁର ସର୍ବାଧିକ ଯୋଗଦାନ ରହିଛି। ଏକଥାକୁ ଆମେ ଅଣଦେଖା କରିପାରିବ ନାହିଁ ବୋଲି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଶନିବାର ଦେଇଥିବା ମନ୍ତବ୍ୟକୁ ବିଜେପି କଡ଼ା ନିନ୍ଦା କରିବା ସହ ତାଙ୍କୁ ଟାର୍ଗେଟ କରିଛି। ବିଜେପି ପ୍ରବକ୍ତା ଶେହଜାଦ ପୁନାୱାଲା ଟ୍ବିଟ୍ କରି ପୱରଙ୍କୁ ପ୍ରଶ୍ନ କରିଛନ୍ତି ଯେ; ଦାଦାସାହେବ ଫାଲ୍‌କେ, କିଶୋର କୁମାର, ଲତା ମଙ୍ଗେସକର, ଅମିତାଭ ବଚ୍ଚନ, ଆଶା ଭୋସଲେ, ସ୍ମିତା ପାଟିଲ, ମାଧୁରୀ ଦୀକ୍ଷିତ ଆଦିଙ୍କ ସଂପର୍କରେ କ’ଣ କୁହାଯିବ। ଆତଙ୍କବାଦୀମାନଙ୍କର କୌଣସି ଧର୍ମ ନାହିଁ। କିନ୍ତୁ କଳା ଓ ସିନେମାର ଧର୍ମ ଅଛି ବୋଲି କହି ପୁନାୱାଲା ପାୱାରଙ୍କୁ ତତ୍ସଲ୍ୟ କରିଛନ୍ତି। ସମସ୍ତଙ୍କ ଯୋଗଦାନକୁ ସ୍ବୀକାର କର ବୋଲି ସେ କହିଛନ୍ତି।

ଏହାପରେ ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଦଳର ପୂର୍ବତନ ମନ୍ତ୍ରୀ ନୱାବ ମଲ୍ଲିକ ଡି କମ୍ପାନି ସହ ସଂପର୍କ ପାଇଁ ଜେଲ୍‌ରେ ଅଛନ୍ତି ସେମାନଙ୍କ ଠାରୁ ଆମେ ଆଉ କ’ଣ ଆଶା କରିପାରିବା ବୋଲି ସେ କହିଛନ୍ତି। ପ୍ରଥମେ ସେମାନେ ଦେଶକୁ ହିନ୍ଦୁ ଓ ମୁସଲିମ୍‌ରେ ବିଭକ୍ତ କରନ୍ତି। ତାହାପରେ ସ୍କୁଲର ଶ୍ରେଣୀଗୃହକୁ ଭାଗ କରନ୍ତି। ଏପରିକି ରାଜସ୍ଥାନରେ ବିଦ୍ୟୁତକୁ ମଧ୍ୟ ବିଭାଜନ କରିଛନ୍ତି ଏବଂ ଏବେ କଳା ଓ ସିନେମାକୁ ବିଭାଜନ କରୁଛନ୍ତି ବୋଲି ସେ କହିଛନ୍ତି। ସେହିଭଳି ବିଜେପି ନେତା ରାମ କଦମ ମଧ୍ୟ ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, କିଶୋର କୁମାର ଏବଂ ଲତା ମଙ୍ଗେସକରଙ୍କର ଉଦାହରଣ ଦେଇ ଦାଦାସାହେ‌ବ ଫାଲକେ ବଲିଉଡ ଶିଳ୍ପ ସ୍ଥାପନ କରିଥିଲେ ବୋଲି କ‌ହିଛନ୍ତି। କାଶ୍ମୀର ଫାଇଲ୍ସ ସିନେମାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ପ୍ରତିକ୍ରିୟା ଦେଇ ପାୱାରଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।

Related Posts