ଯାଜପୁର କୋରାଇ ଥାନା ନିକଟରେ ଦୁର୍ଘଟଣା: ଟ୍ରଲର ପଛରେ ଧକ୍କା ଦେଲା ଅଟୋ, ଜଣେ ମୃତ, 4 ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା ୨୦ ନଂ ଜାତୀୟ ରାଜପଥ କୋରାଇ ଥାନା ଆଲିଆ ଛକ ନିକଟରେ ଦୁର୍ଘଟଣା । ଟ୍ରଲର ପଛରେ ଧକ୍କା ଦେଲା ଅଟୋ। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଶିଶୁଙ୍କ ସହ ମୋଟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମୃତା ମହିଳା ବିଞ୍ଝାରପୁର ଅଞ୍ଚଳର ଶୁବାମ୍ ବିବି ବୋଲି ଜଣାପଡିଛି।

ସୂଚନା ମୁତାବକ ବିଂଝାରପୁର ଅଞ୍ଚଳର ଏକ ସଂଖ୍ୟାଲଘୁ ପରିବାର ଯାଜପୁର ରୋଡ୍‌ ଥାନା ତ୍ରିଜଙ୍ଗା କଲୋନୀରେ ରହୁଥିବା ଝିଅ ଘରକୁ ବୁଲିବାକୁ ଆସିଥିଲେl ତେବେ ବୁଲାବୁଲି ସାରି ସନ୍ଧ୍ୟାରେ ଏକ ମାଲବାହୀ ଅଟୋ ଯୋଗେ ବିଞ୍ଝାରପୁରକୁ ଫେରୁଥିଲେ। ଏହି ସମୟରେ ୨୦ନଂ ଜାତୀୟ ରାଜପଥର ଆଲିଆ ଛକ ପାଖରେ ପେଟ୍ରୋଲ ପମ୍ପ ଆଗରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରଲରକୁ ତାଙ୍କ ଅଟୋ ପଛପଟୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଚାଳକଙ୍କ ସମେତ ଦୁଇ ଛୁଆ, ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର ଭାବେ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ଯାଜପୁର ରୋଡ଼ ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିବା ସହ ଆହତମାନଙ୍କ ପ୍ରାଥମିକ ଚିକତ୍ସା କରି କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ତେବେ ମୃତା ମହିଳା ଓ ଆହତମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଖବର ପାଇ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Posts