ଦେଶରେ ବଢୁଛି ଆପ୍‌ର ଲୋକପ୍ରିୟତା: ଜାମ୍ମୁରେ ୫୦ ହଜାର ଲୋକ ଆପ୍‌ରେ ସାମିଲ୍ ହୋଇଥିବା ଦାବି

ନୂଆଦିଲ୍ଲୀ: ପଞ୍ଜାବରେ ନିର୍ବାଚନ ଜିତିବା ପରେ ଏବେ ଆମ୍‌ ଆଦ୍ମୀ ପାର୍ଟିର ଲୋକପ୍ରିୟତା ଓ ଦଳୀୟ କର୍ମୀଙ୍କ ମନବଳ ବଢିବାକୁ ଲାଗିଛି | ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଆପ ନିଜ ଉପସ୍ଥିତି ଜାହିର କରିବାକୁ ଲାଗିଲାଣି | ଏଥିପାଇଁ ଦଳ ହିମାଚଳ ପ୍ରଦେଶ, ଗୁଜରାଟ, ହରିୟାଣା ଓ ଜାମ୍ମୁ-କାଶ୍ମୀର ଭଳି ରାଜ୍ୟରେ ସକ୍ରିୟ ରହିଛି। ଲୋକଙ୍କୁ ନିଜ ଆଦୌ ଆକୃଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି |

ଏନେଇ ଶନିବାର ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଗୁଜୁରାଟ ଗସ୍ତ କରି ସେଠାକାର ଲୋକଙ୍କୁ ସରକାର ଗଠନ କରିବାକୁ ଥରୁଟିଏ ସୁଯୋଗ ମାଗିଥିଲେ। ବିଜେପି ଗର୍ବୀ ହୋଇଗଲାଣି। କାହା କଥା ଶୁଣୁ ନାହିଁ। ଆମକୁ ଥରେ ସୁଯୋଗ ଦିଆଯାଉ ବୋଲି ଗୁଜୁରାଟବାସୀଙ୍କୁ ଅନୁରୋଧ କରିଥିଲେ କେଜରିୱାଲ୍। ଦିଲ୍ଲୀ ପରି ଗୁଜୁରାଟ ରେ ମଧ ବିକାଶ କରିବାକୁ ସେ ସୁଯୋଗ ଓ ସହଯୋଗ ମାଗିଛନ୍ତି |

ଏବେ ଜାମ୍ମୁ-କାଶ୍ମୀରରକୁ ନେଇ ଏକ ବଡ଼ ଘୋଷଣା କରିଛି ଆମ୍ ଆଦ୍ମୀ ପାର୍ଟି। ଉଭୟ କେନ୍ଦ୍ର ଶାସିତ ଅଞ୍ଚଳରେ ୫୦ ହଜାରରରୁ ଅଧିକ ଲୋକ ଆପ୍‌ରେ ଯୋଗ ଦେଇସାରିଛନ୍ତି ବୋଲି ଦଳ ଘୋଷଣା କରିଛି। ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ ନିକଟରେ ଜାମ୍ମୁକାଶ୍ମୀରର ନ୍ୟାସ୍‌ନାଲ କନଫ୍ରେନ୍ସ ନେତା ବିଜୟ ସୁରୀ ଆପ୍‌ରେ ସାମିଲ୍ ହୋଇଛନ୍ତି। ଖୁବଶୀଘ୍ର ଅନ୍ୟ ରାଜନୈତିକ ଦଳର ନେତାମାନେ ମଧ୍ୟ ଆପ୍‌ରେ ଯୋଗ ଦେଇପାରନ୍ତି ବୋଲି ଖବର ରହିଛି।

ଆପ୍‌ର ଫାରୁକ ଅହମଦ ବନ୍ଦେଙ୍କ କହିବା ଅନୁସାରେ ଜାମ୍ମୁରେ ୫୦ ହଜାର ଲୋକ ଆପ୍‌ରେ ସାମିଲ୍ ହୋଇଛନ୍ତି। ଏନେଇ ସେ କହିଛନ୍ତି ଯେ କଠୁଆ, ସାମ୍ବା, ଉଦ୍ଦମପୁର, ରାଜୌରୀ ଓ ଅନ୍ୟ ଜିଲ୍ଲାରେ ଆମର କାର୍ଯ୍ୟକ୍ରମ ଜାରି ରହିଛି। ପଞ୍ଛ,ଜୋଡ଼ା ଓ ଜାମ୍ମ ଡିଭିଜନ୍‌ରେ ଆମକୁ ଭଲ ପ୍ରତିକ୍ରିୟା ମିଳିଛି। ଏଠାରେ ଅନେକ କଲେଜ୍ ଛାତ୍ର ଆମ ସହିତ ଯୋଡ଼ି ହୋଇଛନ୍ତି ବୋଲି ଅହମଦ ବନ୍ଦେ କହିଛନ୍ତି।

ଜାମ୍ମୁରେ ଦଳକୁ ମଜଭୁତ କରିବାକୁ ଗାନ୍ଧୀ ନଗର ସ୍ଥିତ ଗଭର୍ଣ୍ଣମେଣ୍ଟ କଲେଜ ଫ ୱିମେନ୍‌ର ଛାତ୍ରୀମାନେ ଦଳର ଛାତ୍ର ମୋର୍ଚ୍ଚା ଗଠନ କରିଛନ୍ତି। ତା ସହିତ ଏଠାରେ ଦଳର କାର୍ଯ୍ୟଭାର ସହ ପର୍ଯ୍ୟବେକ୍ଷକ ମନୀଷ ସିହ୍ନାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଅହମଦ ବନ୍ଦେ କହିଛନ୍ତି। ତାଙ୍କ ବ୍ୟତୀତ ବରିଷ୍ଟ ନେତା ଦୁର୍ଗେଶ ପାଠକ ମଧ୍ୟ ଦଳ ସଦସ୍ୟତା ଅଭିଯାନ ଉପରେ ନଜର ରଖୁଛନ୍ତି। ସେ ଖୁବ୍‌ଶୀଘ୍ର ଜାମ୍ମୁ-କାଶ୍ମୀର ଭ୍ରମଣରେ ଆସିପାରନ୍ତି। କାଶ୍ମୀର ଗନ୍ଦରବଲ, ଶ୍ରୀନଗର ଓ କୁଲଗାମ ସମେତ ଅନେକ କ୍ଷେତ୍ରରେ ଦଳର ସଦସ୍ୟତା ଅଭିଯାନ ଆରମ୍ଭ କରାଯାଇପାରେ ବୋଲି ଆପ ସୂଚନା ଦେଇଛି।

ଅନ୍ୟପଟେ କେବଳ ଆପ୍‌ ନୁହେଁ କାଶ୍ମୀର ହାତେଇବାକୁ ଅନ୍ୟ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଅଣ୍ଟା ଭିଡ଼ିଲେଣି। ତୃଣମୂଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଦଳୀୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛି।

Related Posts