ଆମ ଆଦମୀ ପାର୍ଟି ଫୋକସରେ ଗୁଜୁରାଟ ବିଧାନସଭା ନିର୍ବାଚନ; ଆଜି ଦିନିକିଆ ଗୁଜୁରାଟ ଗସ୍ତରେ ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ ଆଦମୀ ପାର୍ଟିର ଫୋକସରେ ରହିଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ଆଜି ଦିନିକିଆ ଗୁଜୁରାଟ ଗସ୍ତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ । ଏହି ଗସ୍ତ ଅବସରରେ କେଜ୍ରିୱାଲ ଗୁଜୁରାଟର ଭୁଜରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ କେଜ୍ରିୱାଲ ନିର୍ବାଚନ କ୍ଷେତ୍ରକୁ ମଜବୁତ କରିବା ଓ ଭୋଟ୍ ବ୍ୟାଙ୍କ ବଢ଼ାଇବା ପାଇଁ ଲଗାତାର ଗୁଜୁରାଟ ଗସ୍ତ କରୁଛନ୍ତି। ଆପର ଗୁଜୁରାଟ ୟୁନିଟ୍ ସାଧାରଣ ସମ୍ପାଦକ ମନୋଜ ସୋରାଥିଆ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ କେଜ୍ରିୱାଲ ମଙ୍ଗଳବାର ଗୁଜୁରାଟକୁ ଆସିବେ। ସେ ଭୁଜରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ଓ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଭୁଜରେ ସେ ରାଜ୍ୟବାସୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ। ନିର୍ବାଚନ ସମ୍ପର୍କରେ ସେ ଦଳର ନେତାଙ୍କ ସହ ଏକ ବୈଠକ ମଧ୍ୟ କରିବେ।

ସୂଚନା ଯୋଗ୍ୟ ଯେ, ନିକଟରେ ଅଗଷ୍ଟ ୧୦ରେ, ଗୁଜୁରାଟ ଗସ୍ତ ସମୟରେ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବା ମାତ୍ରେ ୧୮ ବର୍ଷରୁ ଅଧିକ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। କେଜ୍ରିୱାଲ ଗତ ମାସରେ ମଧ୍ୟ ସୁରତରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଣ କରିବାକୁ ବଡ ଘୋଷଣା କରିଥିଲେ। ତେବେ ଲଗାତାର ଗୁଜୁରାଟ ଗସ୍ତ କରି କେଜ୍ରିୱାଲ ବିଜେପି ସରକାରକୁ ଟାର୍ଗେଟ କରିବା ସହିତ ଲୋଭନୀୟ ପ୍ରତିଶ୍ରୁତି ରାଜ୍ୟ ବାସୀଙ୍କୁ ଦେଉଛନ୍ତି। ଯେଉଁଥିପାଇଁ ଲଗାତାର ବିଜେପି ପକ୍ଷରୁ ତାଙ୍କୁ ଟାର୍ଗେଟ ମଧ୍ୟ କରାଯାଉଛି। ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ବାରମ୍ବାର କେଜ୍ରିୱାଲଙ୍କ ଗୁଜୁରାଟ ଗସ୍ତ ରାଜ୍ୟରେ ରାଜନୈତିକ ମହୋଲ କୁ ସରଗରମ କରି ଦେଉଛି।

Related Posts