(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମଦ ପିଇବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ରବିବାର ବିଳମ୍ବିତ ରାତିରେ ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ବରର ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥ ନଗରରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାପଡିଛି। ମୃତକ ଜଣଙ୍କ ହେଉଛନ୍ତି ସନାତନ ରାଉତରାୟ।
ମିଳିଥିବା ସୂଚନା ଅନୁସାରେ, ମଦ ପିଇବାକୁ କେନ୍ଦ୍ର କରି ସନାତନ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ସାମନ୍ୟ ଯୁକ୍ତିତର୍କ ହୋଇଥିଲା। ସାମାନ୍ୟ ବଚସା ଉଗ୍ର ରୂପ ନେଇଥିଲା। ପରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ସନାତନଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରି ମାରି ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ପୁଲିସ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଏହି ୪ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ମଧ୍ୟ ରହିଛି। ସେମାନେ ଚୋରା ମଦ ବ୍ୟବସାୟ କରୁଥିବା ଜଣାପଡିଛି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୁଲିସ୍ ଉଦ୍ୟମ ଜାରି ରଖିଛି।
ସୂଚନାଯୋଗ୍ୟ, ଗତକାଲି କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଦିଆଯାଇଥିଲା। ସେ ପକେଟ କ୍ଷୀର ପାଇଁ ନିକଟସ୍ଥ ବଜାରକୁ ଯାଇ ସ୍କୁଟିରେ ଫେରୁଥିବା ବେଳେ ଏକ ଧାରୁଆ କଟୁରୀରେ ତାଙ୍କୁ ହତ୍ୟା କରାଯାଇଥିଲା।