ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଇଚ୍ଛା ମୃତ୍ୟୁ ମାଗିଲେ ଯୌନଉତ୍ପୀଡ଼ନରେ ଶିକାର ମହିଳା ବିଚାରପତି। ଅନ୍ୟକୁ ନ୍ୟାୟ ଦେଉଥିବା ମହିଳା ବିଚାରପତି କିନ୍ତୁ ନିଜେ ନ୍ୟାୟ ପାଇ ନ ପାରି ଭାଙ୍ଗି ପଡ଼ିଛନ୍ତି। ତେଣୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ଇଚ୍ଛା ମୃତ୍ୟୁ ପାଇଁ ସେ ଗୁହାରୀ କରିଛନ୍ତି। ଏହି ଘଟଣା ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ସେପଟେ ଏହା ଉପରେ ଜବାବ ମାଗିଛନ୍ତି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ । ସୋଶାଲ ମିଡିଆରେ ଏହି ଚିଠି ଭାଇରାଲ ହେବାରେ ଲାଗିଛି।
ମହିଳା ବିଚାରପତିଜଣକ ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟର ବିଚାରପତି ଥିବା ବେଳେ ଏବେ ତାଙ୍କର ଅନ୍ୟତ୍ର ବଦଳି ହୋଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ଗତକାଲି ବିଳମ୍ବିତ ରାତିରେ ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ସୁପ୍ରିମ କୋର୍ଟ ସେକ୍ରେଟାରୀ ଜେନେରାଲ ଆହ୍ଲାବାଦ ହାଇକୋର୍ଟ ପ୍ରଶାସନଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ଏଥିସହ ଏହା ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଜବାବ ତଲବ କରିଛନ୍ତି।
ମହିଳା ବିଚାରପତିଙ୍କ ଅଭିଯୋଗ ଅନୁଯାୟୀ, ବର୍ଷେ ପୂର୍ବେ ତାଙ୍କ ସହ ଖୁବ୍ ଅପମାନଜନକ ବ୍ୟବହାର କରାଯାଇଛି। ଯାହାକି ମାନସିକ ଭାବେ ତାଙ୍କୁ ଖୁବ୍ ଆଘାତ ଦେଇଛି। ଏହି ଘଟଣାରେ ବହୁ ଅଭିଯୋଗ କରିବା ସତ୍ତ୍ୱେ ଏ ଯାଏ ସେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଅନ୍ୟ ଉପାୟ ନ ପାଇ ସେ ମୃତ୍ୟୁ ପାଇଁ ଅନୁମତି ଲୋଡ଼ିଛନ୍ତି।
ମହିଳା ବିଚାରପତି ଲେଖିଥିବା ଚିଠି ଅନୁଯାୟୀ, ଏହା ୨୦୨୨ ସେପ୍ଟେମ୍ବର ମାସର ଘଟଣା। ପ୍ରତାଡ଼ିତ ହେବା ପରେ ହାଇକୋର୍ଟଠୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ପତ୍ର ଲେଖିଛି। ହଜାରେରୁ ଅଧିକ ମେଲ୍ କରିଛି। ଏହା ଉପରେ ଏକ ଯାଞ୍ଚ କମିଟି ଗଠିତ ହୋଇଥିଲା। ଉକ୍ତ କମିଟି ୩ ମାସରେ ନିଜ ରିପୋର୍ଟ ପ୍ରଦାନ କରିବାକୁ ସମୟ ନିର୍ଦ୍ଧାରଣ କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ କମିଟି ରିପୋର୍ଟ ପ୍ରଦାନ କରିନି।
ଏଥିସହ ସେ କହିଛନ୍ତି, ଏହି ଘଟଣାରେ କୌଣସି ଶୁଣାଣି ହୋଇନି । ମୋ’ ଅଭିଯୋଗକୁ ବି କେହି କର୍ଣ୍ଣପାତ କରୁ ନାହାନ୍ତି। ଦିଲ୍ଲୀରେ ମୋତେ କେବଳ ମୋ’ ପକ୍ଷ ରଖିବାକୁ ୮ ସେକେଣ୍ଡ ମିଳିଥିଲା। ମାତ୍ର ସେଠାରେ ମୋ’ ଅଭିଯୋଗକୁ ଖାରଜ କରି ଦିଆଯାଇଛି। ଏବେ ମୋ’ ଆଗରେ ଆଉ କୌଣସି ବିକଳ୍ପ ନାହିଁ। ତେଣୁ ମୁଁ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବାକୁ ବାଧ୍ୟ ହେଉଛି।
ଏବେ ଉତ୍ତରପ୍ରଦେଶର ଏକ ଜିଲ୍ଲାରେ ନିଯୁକ୍ତି ପାଇଥିବା ମହିଳା ବିଚାରପତିଜଣକ କ୍ଷୋଭ ପ୍ରକାଶ କରି କହିଛନ୍ତି, ମୁଁ ଦୀର୍ଘ ବର୍ଷ ହେଲା ଅନ୍ୟମାନଙ୍କୁ ନ୍ୟାୟ ପ୍ରଦାନ କରୁଛି। କିନ୍ତୁ ନିଜକୁ ନ୍ୟାୟ ପ୍ରଦାନ କରିବାକୁ ଅକ୍ଷମ । ଏଥିସହ ଭାରତରେ କର୍ମଜୀବୀ ମହିଳାଙ୍କୁ ସନ୍ଦେଶ ଦେଇ ସେ କହିଛନ୍ତି, ଆପଣ ଉତ୍ପୀଡ଼ନ ସହ ବଞ୍ଚିବା ଶିଖନ୍ତୁ। ଏହା ଆମ ଜୀବନର ଅପ୍ରିୟ ସତ । କେହି ବି ଅଭିଯୋଗ ଶୁଣୁ ନାହାନ୍ତି। ଅଭିଯୋଗ କଲେ ପ୍ରତାଡ଼ିତ ହେବାକୁ ପଡ଼ୁଛି ।
ଯଦି କୌଣସି ମହିଳା ସିଷ୍ଟମ ବିରୋଧରେ ଲଢ଼େଇ କରିବାକୁ ଭାବୁଛନ୍ତି, ତା’ ହେଲେ ସେ ମୋତେ ଭୁଲ୍ ଭାବୁଛନ୍ତି। ଜଣେ ଜଜ ହିସାବରେ ମୁଁ ଏହା ଅନୁଭବ କରୁଛି ବୋଲି ବି ସେ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି।
ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରକୃତ ଘଟଣା ଉପରୁ ପରଦା ହଟିନି।