ଗତ ୧୦ ବର୍ଷରେ ରାଜ୍ୟରେ ମରିଛନ୍ତି ୬ ମହାବଳ ବାଘ; ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,୨୮/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟର ବିଭିନ୍ନ ଜଙ୍ଗଲରେ ମହାବଳ ବାଘଙ୍କ ସହ କଲରାପତରିଆ ପ୍ରଜାତିର ବାଘ ରହିଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଂସ୍ଥା (NTCA)ଙ୍କ ଦ୍ୱାରା ୨୦୧୮ରେ ପ୍ରକାଶିତ ଆକଳନ ଅନୁସାରେ, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଏବେ ୨୮ଟି ମହାବଳ ବାଘ ଏବଂ ୭୬୦ଟି କଲରାପତରିଆ ବାଘ ରହିଛନ୍ତି । ବାଘ ମୃତ୍ୟୁ ଓ ରାଜ୍ୟରେ କେତେ ବାଘ ଅଛନ୍ତି ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ପ୍ରଶ୍ନରେ ଏ ତଥ୍ୟ ଦେଇଛନ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ ।

ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ୨୦୧୨-୧୩ରୁ ୨୦୨୧-୨୨ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୬ ଗୋଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଟି ମହାବଳ ଶିକାରୀଙ୍କ ଫାସରେ ପଡ଼ି ଜୀବନ ହାରିଛନ୍ତି । ସେହିଭଳି ଗତ ୧୦ ବର୍ଷରେ ୪୯ଟି କଲରପତରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଶିକାରୀଙ୍କ ଯୋଗୁଁ ୨୬ଟି କଲରାପତରିଆଙ୍କ ଜୀବନ ଯାଇଥିବା ମନ୍ତ୍ରୀ କହିଛନ୍ତି।

ତେବେ ରାଜ୍ୟରେ ବ୍ୟାଘ୍ର ବଂଶବୃଦ୍ଧି ଏବଂ ସୁରକ୍ଷା ପାଇଁ ୨ ଗୋଟି ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା, ଶିକାର ନିରୋଧକ ଶିବିର ପ୍ରତିଷ୍ଠା, ସ୍ପେଶାଲ ସ୍କ୍ୱାଡ୍ ମୁତୟନ, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜୀ ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁର ପ୍ରତିରୋଧ ଆଦି ପଦକ୍ଷେପ ନିଆ ଯାଉଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ।

Related Posts