‘ମହାରାଷ୍ଟ୍ରରେ ବିରୋଧୀ କିନ୍ତୁ ନାଗାଲାଣ୍ଡରେ କୋଳାକୋଳି’; ବିଜେପି ମେଣ୍ଟରେ ସାମିଲ ହେବାକୁ ନେଇ ଶରଦ ପାୱାରଙ୍କୁ କଟାକ୍ଷ କଲେ ଓଓ୍ବେସୀ

ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ବିରୋଧୀ କିନ୍ତୁ ନାଗାଲାଣ୍ଡରେ କୋଳାକୋଳି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ଏଭଳି କଟାକ୍ଷ କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ । ଶରଦ ପାଓ୍ବାରଙ୍କ ଦଳ ଏନସିପି ମହାରାଷ୍ଟ୍ର ରାଜନୀତିରେ ବିରୋଧୀ ଦଳ ଭାବେ ରହିଛି। ଏଠି ବାରମ୍ବାର ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍‌ କରୁଛନ୍ତି ଶରଦ ପାଓ୍ବାର । ଅନ୍ୟପଟେ ନାଗାଲାଣ୍ଡରେ ସଦ୍ୟ ନିର୍ବାଚନ ପରେ ସରକାର ଗଠନ ହୋଇଛି । ସେଠାରେ କିନ୍ତୁ ଏନ୍‌ସିପି ଓ ବିଜେପି ମେଣ୍ଟ ଦଳ ଭାବେ ନେଫିୟୁ ରିଓଙ୍କ ସରକାରରେ ସାମିଲ ହୋଇଛନ୍ତି । ଏନସିପିର ଏଭଳି ଆଭିମୁଖ୍ୟକୁ ନେଇ ଶରଦ ପାଓ୍ବାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ।

ଓଓ୍ବେସୀ କହିଛନ୍ତି ଯେ , ‘ଯଦି ‘ଶରଦ’ ‘ଶଦାବ’ ହୋଇଥାନ୍ତେ ତେବେ ତାଙ୍କୁ ବିଜେପିର ବି-ଟିମ୍‌ କୁହାଯାଇଥାନ୍ତା । ଆଉ ଧର୍ମନିରପେକ୍ଷବାଦୀଙ୍କ ପାଇଁ ଅଛୁଆଁ କୁହାଯାଇଥାନ୍ତା । ମୁଁ କେବେ ବି ବିଜେପି ସରକାରକୁ ସମର୍ଥନ କରିନାହିଁ କିମ୍ବା ଆଗକୁ ବି କରିବି ନାହିଁ । କିନ୍ତୁ ଏନସିପି ଦ୍ବିତୀୟ ଥର ପାଇଁ ବିଜେପିକୁ ସମର୍ଥନ କରିଛି । ଆଗକୁ ବି ଏମିତି କରିବନି ତାହା କହିବା ମୁସ୍କିଲ।’

ଶରଦ ପାଓ୍ବାରଙ୍କୁ କଟାକ୍ଷ କରି ଅସଦୁଦ୍ଦିନ ଓଓ୍ବେସୀ କହିଛନ୍ତି, ‘ସାହେବ ତାଙ୍କ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଜେଲରେ ପୂରାଇଥିବା ଲୋକଙ୍କୁ ସମର୍ଥନ କରୁଛନ୍ତି’। ନାଗାଲାଣ୍ଡରେ ବିଜେପି-ଏନଡିପିପି ମେଣ୍ଟକୁ ସମର୍ଥନ ଦେବାକୁ ଘୋଷଣା କରିବା ପରେ ସେଠାକାର ଏନସିପି ପ୍ରମୁଖ କହିଥିଲେ ଯେ, ମେଣ୍ଟରେ ସାମିଲ ହେବା ପ୍ରସ୍ତାବକୁ ଶରଦ ପାଓ୍ବାର ଅନୁମତି ଦେଇଛନ୍ତି । ଏହା ପରେ ଯାଇ ନାଗାଲାଣ୍ଡ ଏନସିପି ମେଣ୍ଟରେ ସାମିଳ ହୋଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନରେ ନାଗାଲାଣ୍ଡରେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି ସର୍ବାଧିକ ୨୫ଟି ସିଟ୍‌ରେ ବିଜୟ ହାସଲ କରିଥିଲା । ତେବେ ସରକାର ଗଠନ କରିବା ପାଇଁ ଆହୁରି ୫ଟି ସିଟ୍‌ ଆବଶ୍ୟକ ଥିଲା । ତେବେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢୁଥିବାରୁ ଦଳ ପାଇଁ ସମସ୍ୟା ହୋଇନଥିଲା । ବିଜେପି ମୋଟ ୧୨ଟି ସିଟ୍‌ ହାତେଇବାକୁ ସକ୍ଷମ ହୋଇଥିଲା । ଶରଦ ପାଓ୍ବାରଙ୍କ ଦଳ ଏନସିପି ୭ଟି ସିଟ୍‌ ଜିତିଥିବା ବେଳେ ସେ ମଧ୍ୟ ମେଣ୍ଟରେ ସାମିଲ ହେବାକୁ ଘୋଷଣା କରିଥିଲା ।

Related Posts