ଖୁବ୍ ଶୀଘ୍ର ରାଜ୍ୟରେ ନିଯୁକ୍ତି ପାଇବେ ୪୦ ହଜାର ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର,୧/୩(ସତ୍ୟପାଠ ବ୍ୟୁରୋ): ଖୁବ୍ ଶୀଘ୍ର ରାଜ୍ୟର ପ୍ରାଥମିକ ସ୍କୁଲ ପାଇଁ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ସେହିପରି ହାଇସ୍କୁଲ ଗୁଡିକ ପାଇଁ ମଧ୍ୟ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ପ୍ରକାଶ ପାଇ ସାରିଛି। ମୋଟ ୪୦ ହଜାର ନିଯୁକ୍ତି ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ ନେଇ ସାରିଥିବା ଆଜି ଗଣମଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ। କମ୍ପ୍ୟୁଟର ବେସ୍ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା ହେବ ଓ ସମସ୍ତଙ୍କୁ ନିଯୁକ୍ତିରେ ଭାଗ ନେବାକୁ ସୁଯୋଗ ମିଳିବ। ଏନେଇ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ଏପ୍ରିଲ ଠାରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା ବେଳେ ନୂଆ ନିଯୁକ୍ତି ମିଳିବା ନେଇ ମନ୍ତ୍ରୀଙ୍କ ସୂଚନା ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣରେ ସହାୟକ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ହାଇସ୍କୁଲଗୁଡିକରେ ଶିକ୍ଷକ ଅଭାବ ରହୁଥିବା ପରିଲିକ୍ଷିତ ହେଉଥିବାରୁ ପୂର୍ଣ୍ଣ ଅନୁଦାନ ଏବଂ ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ହାଇସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି କରାଯିବା ପାଇଁ କ’ଣ ବ୍ୟବସ୍ଥା ନେଇଛନ୍ତି ବୋଲି ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହାର ଉତ୍ତର ରଖି କହିଥିଲେ ଯେ, ଶିକ୍ଷକ ଅଭାବକୁ ଦୃଷ୍ଟିରେ ରଖି ୨୦୨୧-୨୨ରେ ୭୧୧୩ ଓ ୬୮୯୧ ଏପରି ମୋଟ ୧୪, ୦୦୪ ଶିକ୍ଷକ ପଦବୀ ପୂରଣ କରାଯାଇଛି। ଏଥିସହ ୭୫୪୦ ଗୋଟି ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ OSSCକୁ ଦାୟିତ୍ୱ ଦିଆଯାଇଛି।

ଏଥିସହ ସରକାର ପୁନଶ୍ଚ ୬୦୨୫ ଗୋଟି LTR ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ପୁନଃ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଖାଲି ଥିବା ବିଭିନ୍ନ ବର୍ଗର ୨୦୬୪ ଗୋଟି ପଦବୀ ପୂରଣ ପାଇଁ ସରକାର ଆଦେଶ ଦେଇଛନ୍ତି। ଯାହାକି ଖୁବ ଶୀଘ୍ର ପୂରଣ କରାଯିବ।

ସେହିପରି ରାଜ୍ୟ କେଉଁ ହାଇସ୍କୁଲ ଗୁଡିକରେ ଯୁକ୍ତ ୨ ଖୋଲାଯିବାର ସରକାର ଯୋଜନା ରଖିଛନ୍ତି ଓ ଗଞ୍ଜାମର କେଉଁ ସ୍କୁଲ ଏହା ଭିତରେ ରହିଛି ବୋଲି ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି ଯେ, ୨୦୨୨-୨୩ରେ ୧୦୬ ଟି ଉଚ୍ଚ ବିଦ୍ୟାଳୟକୁ ଉନ୍ନତି କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯିବାର ନିଷ୍ପତି ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୯ ଗୋଟି ସ୍କୁଲ ରହିଛି।

Related Posts