ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): ଘାଟିରେ ଓଲଟିଲା ଯାତ୍ରୀବାହୀ ମିନିବସ୍। ତେବେ ଏହି ଦୁର୍ଘଟଣାର ଶିକାର ହୋଇଥିବା ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାସହିତ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧିନ ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ବଣିଆବସା ମାଙ୍କଡଡିଆଁ ନିକଟରେ ଆଜି ଅପରାହ୍ନରେ ବସ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ମୃତକମାନଙ୍କ ମଧ୍ୟରୁ ୨ ଜଣଙ୍କର ପରିଚୟ ମିଳିଛି। ସେମାନେ ହେଲେ ସରସ୍ଵତୀ ଶବର (୧୬) ଓ ସୁମତି ରଇତ (୨୮)।
ସୂଚନା ଅନୁସାରେ, ଗଜପତି ଜିଲ୍ଲା ରାୟଗଡରୁ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବୁରାତାଲ ଫେରୁଥିବା ବେଳେ ମାଙ୍କଡଡିଆଁ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ମିନିବସ୍ ‘ରଘୁନାଥ’ (ଓଆର୍ ୦୨ ବିବି ୯୭୭୭) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଶିକୁଳିପଦର ଗାଁର ସରସ୍ଵତୀ ଶବର ଅରଖପଦା ଗ୍ରାମର ସୁମତି ରଇତଙ୍କ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି। ଘଟଣାସ୍ଥଳରେ ଖରିଆଗୁଡ଼ା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଜରଡା ଥାନା ଅଧିକାରୀ ସୁନିଲ କୁମାର ବେହେରା ଉପସ୍ଥିତ ଥିଲେ।