‘୨୦୨୪ ନିର୍ବାଚନରେ ୫୦ ଆସନ ହରାଇପାରେ ବିଜେପି’: ଶଶୀ ଥରୁର

ଭୁବନେଶ୍ୱର,୧୪/୧(ସତ୍ୟପାଠ ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ୨୦୨୪ରେ ବଡ ବିଜୟ ଲକ୍ଷ୍ୟରେ ଭାରତୀୟ ଜନତା ପାର୍ଟି। ପୁଳା ପୁଳା ଯୋଜନା, କେନ୍ଦ୍ର ସରକାରଙ୍କ ମାଳ ମାଳ ଉପଲବ୍ଧିକୁ ନେଇ ପ୍ରଚାର ପ୍ରସାର ଚଳାଇଛି ଦଳ। ହେଲେ ବିଜେପିର ଏହି ବିଜୟ ଆଶା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଖାଲି ପ୍ରଶ୍ନ ଉଠାଇନାହାଁନ୍ତି ବରଂ ଦଳ ନିର୍ବାଚନ ହାରିଯାଇପାରେ ବୋଲି କହିଛନ୍ତି ଥରୁର।

ଶଶୀ ଥରୁରଙ୍କ ଅଙ୍କ କହୁଛି ଯେ, ବିଜେପି ଆସନ୍ତା ସାଧାରଣ ନିର୍ବାଚନରେ ୫୦ ସିଟରେ ହାରିବା ସମ୍ଭାବନା ରହିଛି। କେରଳ ସାହିତ୍ୟ ମହୋତ୍ସବ ଅବସରରେ ତିରୁବନନ୍ତପୁରର କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ, ୨୦୧୯ରେ ବିଜେପି ଉନ୍ନତ ପ୍ରଦର୍ଶନ କରିଥିଲା।ବିଜେପି ପାଖରେ ପଶ୍ଚିମବଙ୍ଗର ୧୮ ସିଟ୍ ସମେତ ହରିୟାଣା, ଗୁଜରାଟ ଏବଂ ରାଜସ୍ଥାନରେ ପ୍ରାୟ ସବୁ ସିଟ ଥିଲା । ତେବେ ୨୪ ନିର୍ବାଚନରେ ବିଜେପିକୁ ସେଭଳି ଫଳାଫଳ ମିଳିବା ଅସମ୍ଭବ। ଏପରିକି ଦଳ ବହୁମତ ହାସଲ କରିବା ସମ୍ଭାବନା ବି କମ୍ ବୋଲି ଥରୁର କହିଛନ୍ତି। ମହୋତ୍ସବରେ ଥରୁର କହିଛନ୍ତି, ପୂର୍ବଭଳି ବିଜେପିକୁ ଆଉ ଲୋକେ ପସନ୍ଦ କରୁନାହାଁନ୍ତି। ଦେଶବାସୀ ଜାଣି ସାରିଲେଣି ଦଳର ଆକାଂକ୍ଷା କଣ। ତେଣୁ ଦଳକୁ ସେଭଳି ସଫଳତା ମିଳିବା କ୍ଷୀଣ।

୨୦୧୯ ସାଧାରଣ ନିର୍ବାଚନର ଅଳ୍ପଦିନ ପୂର୍ବରୁ ପୁଲ୍‌ୱାମା ଆକ୍ରମଣ ଓ ବାଲାକୋଟ୍‌ ଷ୍ଟ୍ରାଇକ୍‌ ଯେଭଳି ଚହଳ ପକାଇଥିଲା ୨୦୨୪ରେ ବିଜେପି ସପକ୍ଷରେ ସେଭଳି କୌଣସି ଘଟଣା ନାହିଁ। ତେଣୁ, ‘ବିଜେପି’ ହାତରୁ ୫୦ଟି ଆସନ ବିରୋଧୀମାନଙ୍କୁ ହାତକୁ ଚାଲିଯାଇପାରେ ବୋଲି ଅନୁମାନ କରାଯାଉଥିବା କଥା ଥରୁର୍‌ କହିଛନ୍ତି।

Related Posts