ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ବରିଷ୍ଠ ଆଇନଜୀବୀ ତଥା ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ରଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ସେ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଛି ।୧୯୬୧ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୮୯ ରୁ ଓକିଲାତି ବୃତ୍ତି ଆରମ୍ଭ କରିଥିଲେ ।
ସେ କଲେଜ ସମୟରୁ ଛାତ୍ର ନେତା ଠାରୁ ଆରମ୍ଭ କରି କଂଗ୍ରେସ ସରକାର ବେଳେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ସମୟରେ ବେନ୍ତାଳ ପଞ୍ଚାୟତର ସରପଞ୍ଚ ହୋଇଥିଲେ । ଭଦ୍ରକ ଓକିଲ ସଂଘର ୨ ଥର ସଭାପତି, ୨ ଥର ସଂପାଦକ ଓ ଉପସଭାପତି ଭାବରେ ଅନେକ ଥର ନିର୍ବାଚିତ ହୋଇ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥିଲେ । ଏ ବର୍ଷ ସଭାପତି ଭାବେ ନିର୍ବାଚିତ ହୋଇ ନିଜ କାର୍ଯ୍ୟ ତୁଲାଇ ଆସୁଥିଲେ । ତାଙ୍କର ୨ ପୁଅ ଓ ୨ ଝିଅ ଅଛନ୍ତି ।
ତାଙ୍କ ଦେହାନ୍ତରେ ଭଦ୍ରକ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକ ପ୍ରକଶ କରାଯାଇଛି। ତାଙ୍କ ପ୍ରାର୍ଥିବ ଶରୀର ଭଦ୍ରକ ଅଦାଲତରେ ପହଞ୍ଚିବା ପରେ ଶ୍ରଦ୍ଧା ସୁମନ ଅର୍ପଣ କରାଯିବ। ପରେ ତାଙ୍କ ଗାଁରେ ପରିକ୍ରମା କରାହେବା ସତ୍କାର ହେବ ବୋଲି କୁହାଯାଇଛି।