ରାଜଧାନୀରେ ଆତଙ୍କରାଜ; ଡ୍ୟୁଟିରୁ ଫେରିବା ବେଳେ ମହିଳା ଏସଆଇଙ୍କୁ ଖଣ୍ଡା ଧରି ଗୋଡ଼ାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ଆଗକୁ ଆସୁଛି ହକି ବିଶ୍ୱକପ୍। ଏଥିପାଇଁ ଗୋଟିଏ ପଟେ କମିଶନରେଟ ପୋଲିସର ବ୍ଲକିଂ ଚେକିଂ ଜୋରଦାର କରିଛି। ଭୁବନେଶ୍ଵର ରାଜରାସ୍ତାରେ ଜଗି ରହିଛନ୍ତି ମାଳ ମାଳ ପୋଲିସ । ଅନ୍ୟପଟେ ରାଜଧାନୀ ଛାତି ଉପରେ ନିଜେ ପୋଲିସ ଅସୁରକ୍ଷିତ ହୋଇ ପଡ଼ିଛି। ରାତିରେ ଡ୍ୟୁଟି ସାରି ଫେରିବା ବେଳେ ଜଣେ ମହିଳା ଏସ୍ଆଇଙ୍କୁ ଖଣ୍ଡା ଧରି ଗୋଡାଉଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ମହିଳା ଥାନା ଏସ୍ଆଇ ଶୁଭଶ୍ରୀ ନାୟକ ନିଜ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଶୁଭଶ୍ରୀ ନିଜ କାର୍ ଯୋଗେ ମହିଳା ଥାନାରୁ ପୋଲିସ ବାରାକରେ ଥିବା କ୍ଵାଟରକୁ ଫେରୁଥିଲେ । ତେବେ ସାଇନ୍ସ ପାର୍କ ନିକଟରେ ତାଙ୍କ କାରକୁ ଏକ ଇନୋଭା କାର୍ ଧକ୍କା ଦେବାକୁ ଚେଷ୍ଟା କରିଥିଲା । ଏହାପରେ ଶୁଭଶ୍ରୀ ପୋଲିସ ବାରାକ ଭିତରକୁ ଭୟରେ ପଶିଯାଇଥିଲେ। ହେଲେ ତାଙ୍କୁ ପିଛା କରୁଥିବା କାରରେ ଥିବା ଦୁର୍ବୃତ୍ତମାନେ ଖଣ୍ଡା ବାହାର କରି ଶୁଭଶ୍ରୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ ।

ଏହାପରେ ଶୁଭଶ୍ରୀ ସହୟତା ମାଗି ଜୋରରେ ଚିତ୍କାର କରିବାରୁ ବାରାକରେ ଡ୍ୟୁଟି କରୁଥିବା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାଦେଖି ଦୁର୍ବୃତ୍ତମାନେ କାର ନେଇ ଚମ୍ପଟ ମାରିଥିଲେ। ଏହି ଘଟଣା ସମ୍ପର୍କରେ ସହିଦନଗର ଥାନାରେ ଅଭିଯୋଗ ହେବାପରେ ପୋଲିସ ସିସିଟିଭି ଯାଞ୍ଚ୍ କରି କାରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଗୋଟିଏ ପଟେ କମିଶନରେଟ ପୋଲିସ ବ୍ଲକିଂ ଚେକିଂ ଜୋରଦାର କରିଥିବା ବେଳେ ଅନ୍ୟପଟେ ନିଜେ ପୋଲିସ ଆକ୍ରମଣର ଶିକାର ହେବା ଘଟଣା ଆଶ୍ଚର୍ଯ୍ୟ କରୁଛି। ଏଭଳି ଘଟଣା ଘଟାଇ ଅପରାଧୀ ମାନେ କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

Related Posts