![](https://www.satyapatha.com/wp-content/uploads/2023/01/IMG_20230102_104432-716x511.jpg)
ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ମାଲକାନଗିରି ଜିଲ୍ଲାରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ୧୦ ଜଣ ଶିକ୍ଷକ ନିଜ କାର୍ଯ୍ୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ଯୋଗୁଁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ହେଲେ ନୋଟିସ ପରେ ମଧ୍ୟ ସେମାନଙ୍କଠାରୁ କୌଣସି ଉତ୍ତର ନମିଳିବାରୁ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି।
ଜିଲ୍ଲା ଶିକ୍ଷା ବିଭାଗର ଘୋଷଣା ଅନୁସାରେ, ମାଲକାନଗିରି ଜିଲ୍ଲାର ସଦର ବ୍ଲକର ଏମଭି-୧ ନୂତନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଳୀମା ଜେନା, ଭୀମାରାଙ୍ଗିନି ପିୟୁପିଏସର ରମେଶ ଚନ୍ଦ୍ର ନାୟକ, ବିଜାପଦର ୟୁପିଏସର ଅରୁଣା ରାଣୀ ବେଉରିଆ, ରାଉଲିଗୁଡା ପିୟୁପିଏସର ସଂତୋଷ କୁମାର ସ୍ବାଇଁ, ବିଜାପଦର ୟୁପିଏସର ଜସମିନ ଦାସ, ଏମଭି-୮୪ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଦେବଶ୍ରୀ ବେହେରା କାଲିମେଳା ବ୍ଲକର ଏମଭି-୯୦ ୟୁପିଏସର ଶିକ୍ଷୟତ୍ରୀ ସାବିତ୍ରୀ ପାତ୍ର, ନାଲାଗୁଣ୍ଠି ପିୟୁପିଏସର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ସୁତାର, ଜନ୍ତୁରାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଂଜନ କୁମାର ବେହେରା ଏବଂ ମାଥିଲି ବ୍ଲକର ମେଣ୍ଡକୁଲି ୟୁପିଏସର ଶିକ୍ଷୟତ୍ରୀ ସସ୍ମିତା ସାହୁ ଦୀର୍ଘ ଦିନ ଧରି ନିଜ ସ୍କୁଲରେ କୌଣସି କାରଣ ନଦର୍ଶାଇ ଅନୁପସ୍ଥିତ ରହିଥିଲେ।
ସେମାନଙ୍କୁ ଏହି ଅନୁପସ୍ଥିତ ରହିବା ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଗଣମାଧ୍ୟମରେ ଏନେଇ ମଧ୍ୟ ବିଜ୍ଞାପନ ଦିଆଯାଇଥିଲା। କିନ୍ତୁ ଏହି ୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କଠାରୁ କୌଣସି ଉତ୍ତର ନ ମିଳିବାରୁ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା ସେମାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା କହିଛନ୍ତି।