ଉତ୍ତରାଖଣ୍ଡ ଓ ଗୋଆ ପରି ଗୁଜରାଟରେ ପଶି କଂଗ୍ରେସର ଖେଳ ବିଗାଡ଼ିଲା ଆପ: ପି ଚିଦମ୍ବରମ୍

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଓ ଗୋଆ ପରି ଗୁଜରାଟରେ ପଶି କଂଗ୍ରେସର ଖେଳ ବିଗାଡ଼ି ଦେଇଛି ଆପ । ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ରବିବାର କହିଛନ୍ତି ଯେ ଆମ୍‌ ଆଦ୍‌ମୀ ପାର୍ଟିର ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ଛଡ଼ା ଅନ୍ୟ କେଉଁଠି ବିଶେଷ ଦଖଲ ନାହିଁ।

ସେପଟେ ଆପ ପାଇଁ ଭୋଟ ବିଭାଜନ କରିବାରୁ ଗୁଜରାଟରେ କଂଗ୍ରେସ ଯେତିକି ଆସନ ପାଇବା କଥା ପାଇପାରିଲା ନାହିଁ। ଚିଦମ୍ବରମ୍ ଆହୁରି କହିଥିଲେ ଯେ ଗୁଜରାଟ ପରାଜୟରୁ କଂଗ୍ରେସ ଶିକ୍ଷା କରିବାର ଆବଶ୍ୟକତା ଅଛି। ଯେଉଁଠି ବିପକ୍ଷ ଦଳ ସହ ଜୋରଦାର ଲଢ଼େଇ ଚାଲୁଥିବ ସେଠାରେ ‘ନୀରବ ପ୍ରଚାର’ ବୋଲି କୌଣସି କଥା ନାହିଁ। ଏକ ସାକ୍ଷାତ୍‌କାରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଚିଦମ୍ବରମ୍ କହିଲେ ଯେ ଆପ୍ ଆଗରୁ ଗୋଆ ଓ ଉତ୍ତରାଖଣ୍ଡରେ ଯାହା କରିଥିଲା, ଗୁଜରାଟରେ ବି ସେଇଆ କଲା। ଏହା କଂଗ୍ରେସର ଖେଳ ବିଗାଡ଼ିଲା ଯାହା ବିଜେପିକୁ ସହାୟକ ହେଲା।

ବିଜେପି ସବୁଠି ଜିତିଲା କିନ୍ତୁ ହିମାଚଳ ପ୍ରଦେଶ ବିଧାନସଭା ଓ ଦିଲ୍ଲୀ ପୌର ନିର୍ବାଚନରେ ହାରିଲା। ଏହା ବିଜେପି ପାଇଁ ଏକ ବଡ଼ ଧକ୍କା।

ଗୁଜରାଟରେ ଦଳର ପରାଜୟ ବିଷୟରେ ଚିଦମ୍ବରମ୍ କହିଲେ ଯେ ତାଙ୍କୁ ନିର୍ବାଚନୀ ରଣନୀତିରେ ପୂର୍ଣ୍ଣମାତ୍ରାରେ ସାମିଲ କରାଯାଇ ନ ଥିଲା। କଂଗ୍ରେସ ଭାବିଥିଲା ଗୁଜରାଟରେ କିଛି ପାଇବନି। ସେଥିପାଇଁ ପ୍ରଚାରରେ ବିଶେଷ ଧ୍ୟାନ ଦେଲାନି। କିନ୍ତୁ ଯେକୌଣସି ନିର୍ବାଚନରେ ନିଜର ପୂରା ଦମ୍ ଖଟାଇବା ଦରକାର। ନୀରବ ପ୍ରଚାର ବୋଲି କୌଣସି କଥା ନାହିଁ। ଅପରପକ୍ଷେ ଗୁଜରାଟରେ ଆପ୍ ୧୩ ପ୍ରତିଶତ ଭୋଟ ପାଇ କଂଗ୍ରେସର ଭୋଟ ବିଭାଜନ କରି ୩୩ଟି ଆସନରେ କଂଗ୍ରେସର ଜିତିବା ସମ୍ଭାବନାକୁ ନଷ୍ଟ କରିଦେଲା ବୋଲି ଚିଦମ୍ବରମ୍ କହିଛନ୍ତି

Related Posts