ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ବାଲକର ହତ୍ୟା ଘଟଣାର ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲର ନ୍ୟାୟିକ ହେପାଜତ ଅବଧି ବୃଦ୍ଧି ପାଇଛି । ପୁଣି ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବ ଅଭିଯୁକ୍ତ ଅଫତାବ । ଏନେଇ ଦିଲ୍ଲୀ ସାକେତ କୋର୍ଟ ରାୟ ଶୁଣାଇଛନ୍ତି ।
ଆଜି ଭିଡିଓ କନଫରେସିଂ ଯୋଗେ ଦିଲ୍ଲୀ ସାକେତ କୋର୍ଟରେ ହାଜର ହୋଇଥିବା ବେଳେ ଏପରି ନିଷ୍ପତ୍ତି ଶୁଣାଇଥିଲେ କୋର୍ଟ । ଏହା ପୂର୍ବରୁ ନଭେମ୍ବର ୨୬ ତାରିଖରେ ଅଫତାବ ଆମିନ ପୁନାୱାଲଙ୍କୁ ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଥିଲା । ଫଳରେ ତିହାର ଜେଲ ପାଲଟିଥିଲା ଅଫତାବର ଠିକଣା ।
ଆଜି ନ୍ୟାୟିକ ହେପାଜତ ଅବଧି ଶେଷ ହେବାକୁ ଥିବା ବେଳେ ଭିଡିଓ କନଫରେସିଂ ଯୋଗେ ସାକେତ କୋର୍ଟରେ ହାଜର ହୋଇଥିବା ଅଭିଯୁକ୍ତ । ପଚରାଉଚରା ପରେ ନ୍ୟାୟିକ ହେପାଜତ ଅବଧିକୁ କୋର୍ଟ ବୃଦ୍ଧି କରିଥିଲେ କୋର୍ଟ । ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ଯେ, ”ଅଫତାବ ଜେଲରେ ସାଥୀ କଏଦୀଙ୍କ ସହ ଚେସ ଖେଳି ସମୟ ଅତିବାହିତ କରୁଛି । ଅନେକ ସମୟରେ ସେ ସାଥୀଙ୍କ ସହ ଝଗଡା ମଧ୍ୟ କରୁଛି” । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜଣେ ଅଧିକାରୀ କହିଛନ୍ତି, ” ଅଫତାବ ବହୁତ ଚାଲାକ ଅଛି, ଆଗକୁ ଆହୁରି କିଛି ତଥ୍ୟ ସାମ୍ନାକୁ ଆସିବା ନେଇ ଅନୁମାନ କରାଯାଉଛି” ।
ତିହାର ଜେଲରେ ଥିବା ସମୟରେ ସାହିତ୍ୟ ଉପନ୍ୟାସ ବହି ପଢିବାକୁ ନିବେଦନ କରିଥିଲା ଅଫତାବ । ପ୍ରସିଦ୍ଧ ଲେଖକ ପଲ ରୁକ୍ସଙ୍କ ରଚିତ ଦି ଗ୍ରେଟ ରେଲୱେ ବଜାର ନୋବେଲ ପଢିବାକୁ ମାଗିଥିଲା । ତାଙ୍କ ନିବେଦନରେ ସମ୍ମତି ପ୍ରକାଶ କରିବା ସହ ଅଫତାବକୁ ନୋବେଲ ଯୋଗାଇ ଦେଇଥିଲେ ଜେଲ କର୍ତ୍ତୃପକ୍ଷ ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ ମାସରେ ନିଜ ଲିଭ୍ ଇନ୍ ପାର୍ଟନର୍ ଶ୍ରଦ୍ଧା ୱାକରକୁ ନିର୍ମମ ଭାବରେ ହତ୍ୟା କରିଥିଲା ଅଫତାବ୍ । ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲା । ପରବର୍ତ୍ତୀ ସମୟରେ ମୃତଦେହର ବିଭିନ୍ନ ଅଂଶ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିଲା । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।