ଆଫଗାନିସ୍ତାନରେ ସରକାରୀ କର୍ମଚାରୀଙ୍କ ବସ୍ ରେ ବୋମା ବିସ୍ଫୋରଣ; ୭ ମୃତ, ଅନେକ ଗୁରୁତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଫଗାନିସ୍ତାନର ବଲ୍‌ଖ ପ୍ରଦେଶରେ ଆଜି (ମଙ୍ଗଳବାର) ଏକ ବଡ଼ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ରିପୋର୍ଟ ଅନୁଯାୟୀ, ଏହି ବୋମା ବିସ୍ଫୋରଣ ବଲ୍‌ଖ ପ୍ରଦେଶର ରାଜଧାନୀ ମଜାର-ଏ-ସରିଫରେ ଘଟିଛି । ଏଠାରେ ମଙ୍ଗଳବାର ଦିନ ସରକାରୀ କର୍ମଚାରୀଙ୍କ ଏକ ବସ୍ ରାସ୍ତା କଡ଼ରେ ଥିବା ବୋମା ଉପରେ ଚଢିଯାଇଥିଲା । ଏଥିରେ ବଡ଼ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସମାଚାର ଏଜେନ୍‌ସି ଶିହ୍ନୁଆ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ସାଢେ ୭ଟା ବେଳେ ମଜାର-ଏ-ସରିଫ ସହରର ପୋଲିସ ଜିଲ୍ଲା ୩ ରେ ଥିବା ପେଟ୍ରୋଲିୟମ ନିର୍ଦ୍ଦେଶାଳୟର କର୍ମଚାରୀଙ୍କ ବସ୍‌ରେ ଏହି ଦୁର୍ଘଟଣା ଘଟିଛି । ଏନେଇ ଜଣେ ସରକାରୀ କର୍ମଚାରୀ କହିଛନ୍ତି ଯେ, ସମସ୍ତ କର୍ମଚାରୀ ବସ୍‌ରେ ବସି ନିଜ କର୍ମକ୍ଷେତ୍ରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଉକ୍ତ ଅଧିକାରୀ କହିଛନ୍ତି ଯେ, ପୋଲିସ ଏହି ଆକ୍ରମଣର ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ, ବ୍ୟକ୍ତି କିମ୍ବା ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି । ଏହି ବିସ୍ଫୋରଣର କାରଣ ଏବଂ ଆକ୍ରମଣକାରୀଙ୍କ ବିଷୟରେ ଆମେ ତଥ୍ୟ ସଂଗ୍ରହ କରୁଛୁ । ଏହି ଆକ୍ରମଣ ପଛରେ କିଏ ଅଛନ୍ତି ତାହା ଖୁବ୍ ଶୀଘ୍ର ଜଣାପଡିବ ।

ତେବେ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ ବିସ୍ଫୋରଣ ଅତ୍ୟନ୍ତ ଭୟଙ୍କର ଥିଲା । ଏହାର ଶଦ୍ଧ ବହୁ ଦୂରରୁ ଶୁଣାଯାଇଥିଲା । ବସ୍‌ରେ ଥିବା ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ ।

Related Posts