ଯାଜପୁର ରୋଡ୍ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବା ବେଳେ ଅଗ୍ନିଶମ କର୍ମଚାରୀ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯାଜପୁର ରୋଡ୍ ଧନେଶ୍ୱର ଛକରେ ଥିବା ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୨ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ନିଆଁ ଲିଭାଉଥିବା ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

କବାଡି ଗୋଦାମରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି।ନିଆଁରେ କବାଡି ଗୋଦାମଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ୩ ଜିଲ୍ଲା (ଭଦ୍ରକ,ଯାଜପୁର, କେନ୍ଦୁଝର)ରେ ପ୍ରଚଣ୍ଡ ଶବ୍ଦ ସହ ଉକ୍ତ ଅଗ୍ନିକାଣ୍ଡର କିଛି ସଂପର୍କ ନଥିବା ସୂଚନା ମିଳିଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏବେବି ନିଆଁ ଲିଭାକାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲି ଆସିଥିଲେ। ତେବେ କେଉଁ କାରଣରୁ ଏଭଳି ଶବ୍ଦ ହେଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

Related Posts